ସରକାରୀ ପାଚେରି ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ଅଭିଯୋଗ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫୁଲବାଣୀ ଷ୍ଟାଡିୟମ ସମ୍ମୁଖରେ ରହିଛି ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍‌ଡବ୍ଲୁୃସି)ର କାର୍ଯ୍ୟାଳୟ। କିଛିଦିନ ହେବ ଏହାର ପାଚେରି ନିର୍ମାଣ କାର୍ଯ୍ୟ ଚାଲିଛି। ହେଲେ କାମ ଏତେ ନିମ୍ନମାନର ହେଉଛି ଯେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବାକୁ ଯାଉଛି। ପାଚେରୀ କାମରେ ଲାଗିଥିବା ଇଟା ମିଳେଇ ଯାଉଛି। ଯେଉଁ ପିଲର (କଲମ) ତିଆରି ହୋଇଛି ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର। ପିଲରରେ ଛଡ଼ ଦେଖାଯାଉଛି। କୌଣସି ଅଧିକାରୀ ଅବା ଯନ୍ତ୍ରୀ କାମ ଦେଖିବାକୁ ଆସୁନାହାନ୍ତି। ଏହି ପଣ୍ୟାଗାର ନିଗମ କାର୍ଯ୍ୟାଳୟ ପାଚେରୀ ନ ଥିବାରୁ ଅନେକ ସମୟରେ ଅସାମାଜିକ ବ୍ୟକ୍ତି ସେଠାରେ ଆଡ୍ଡା ଜମାଇ ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପାଚେରୀ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲା। ଏହି କାମ କରିବା ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣାର ଜଣେ ଠିକାଦାର ଟେଣ୍ଡର ପାଇଛନ୍ତି। ପ୍ରାୟ ୨଼ ମାସ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। କାମର ତଦାରଖ ଦାୟିତ୍ୱରେ ଫୁଲବାଣୀରେ କେହି ଅଧିକାରୀ ରହୁ ନ ଥିବାରୁ ଠିକାଦାର ମନଇଚ୍ଛା କାମ କରୁଛନ୍ତି। ବିଭାଗୀୟ ଯନ୍ତ୍ରୀ ଥରେ ଆସି ଆଉଟଲେଟ ଦେବା ପରେ ଆଉ ଦେଖାନାହାନ୍ତି। ଠିକାଦାର ବି ଏଠାରେ ରହୁ ନ ଥିବାରୁ ନିୟୋଜିତ ଶ୍ରମିକମାନେ ନିଜ ଇଚ୍ଛାରେ କାମ କରୁଛନ୍ତି। କାର୍ଯ୍ୟାଳୟର ଉପର ପାର୍ଶ୍ୱରେ ପାହାଡ ରହିଛି। ବର୍ଷାଜଳ ଅଧିକ ପରିମାଣରେ ହେଲେ ଏହି ପିଲର ଏବଂ ପାଚେରୀ ଭୁଶୁଡିଯିବା ସମ୍ଭାବନା ରହିଛି। ତେଣୁ କାର୍ଯ୍ୟ ଠିକ ଭାବରେ କରାଯିବାକୁ ସାମାଜିକ କର୍ମୀ ଗିରିଶ ପଟ୍ଟନାୟକ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୦୪ରେ ଫୁଲବାଣୀରେ ରାଜ୍ୟ ପଣ୍ୟାଗାର ନିଗମ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା। ସେତେବେଳର ନିଗମ ଅଧ୍ୟକ୍ଷ ତଥା ଟିଟିଲାଗଡ ବିଧାୟକ ଯୋଗେନ୍ଦ୍ର ବେହେରା ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ନିଗମ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ଘରଭଡା ଦେଉଥିଲା। ପ୍ରଥମେ ଜିଲା ଯୋଗାଣ ବିଭାଗ ଏହାର ସମସ୍ତ ଗୃହକୁ ଭଡାରେ ନେଇଥିଲା। ୨୦୨୧ରେ ଏଠାରେ ଚାଉଳ ଘୋଟାଲା ହୋଇଥିଲାା ସେତବେଳେ ଦାୟିତ୍ୱରେ ଥିବା ପଣ୍ୟାଗାର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ନିଲମ୍ବିତ ହୋଇଥିଲେ। ସେବେଠାରୁ ଏହାର ଗୋଦାମଗୃହ ଖାଲି ପଡିଥିଲାା କିଛି ଦିନ ପରେ ଟିଡିସିିସି (ଆଦିବାସୀ ଉନ୍ନୟନ ସମବାୟ ନିଗମ/ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେଶନ) ଏଠାରେ ଥିବା ୩ଟି ଗୋଦାମରୁ ଗୋଟିଏ ନେଇଛି। ସେଠାରେ ଏବେ ମାଣ୍ଡିଆ ମହଜୁଦ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ