ସରକାରୀ ବାବୁଙ୍କ ଅବହେଳାର ଶିକାର ହେଉଛନ୍ତି କେ.ବାଲିପାଳ ପଞ୍ଚାୟତବାସୀ
ହାଟଡିହି, (ବିକାଶ ବିଶ୍ୱାଳ):ସ୍ବାଧୀନତାର ୭୮ ବର୍ଷ ବିତ୍ତିଯାଇଥିଲ ମଧ୍ୟ ସାଧାରଣତଃ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି କେ ବାଲିପାଳ ପଞ୍ଚାୟତ ବାସୀ। ଏହାକୁ ନେଇ ୨୦୨୩ ଓ ୨୦୨୪ ମସିହାରେ ପ୍ରତ୍ୟେକ ଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗକୁ ଯାଇ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ବି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପଞ୍ଚାୟତ ବାସୀଙ୍କୁ ସାଧାରଣ ମୌଳିକ ସୁବିଧା ଯୋଗାଇ ପାରି ନାହିଁ । ଫଳରେ ପଞ୍ଚାୟତ ବାସୀ ପୁନର୍ବାର ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଓ ରାଜ୍ୟପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଡି.ଏମ.ଏଫ ଅନୁଦାନରେ ମଞ୍ଜୁର ହୋଇଥିବା ରାସ୍ତା କାମ ଆଜି ପର୍ଯ୍ୟନ୍ତ ଆରମ୍ଭ ହେଉନି । ୩୦-୦୭-୨୦୨୪ ଏହି ରାସ୍ତା ନିର୍ମାଣ କରିବା ପାଇଁ ସୂଚନା ଫଳକରେ ତାରିଖ ଉଲ୍ଲେଖ ଥିଲେ ମଧ୍ୟ କାମ ଆରମ୍ଭ ହୋଇପାରୁ ନାହିଁ । ଫଳରେ ରାସ୍ତାଟି ଏବେ ଖାଲ ଖମାରେ ଭର୍ତ୍ତି ହୋଇଯାଇଛି । ରାସ୍ତାର ଏପରି ଅବସ୍ଥା ଶୋଚନୀୟ ଥିବାରୁ ଗତ ମାସ କେ.ବାଲିପାଳ ଗ୍ରାମର ଦୁଇଜଣ ନବଜାତ ଶିଶୁ ଥିବା ମା ୧୦ ଦିନ ଅନ୍ତରରେ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ଆର ପାରିକୁ ଚାଲିଗଲେ। ଆମ୍ବୁଲାନ୍ସ ସେବା ପହଞ୍ଚିବା ବିଳମ୍ୱ ହେବାରୁ ସେମାନଙ୍କ ଜୀବନ ଗଲା । ସେହିପରି ଗତ ସପ୍ତାହରେ ନଳକୂପ ଖନନ ଗାଡି ଏହି କେ.ବାଲିପାଳ ଗ୍ରାମକୁ କିଛି ନଳକୂପ ଖନନ କରିବା ପାଇଁ ଆସୁଥିବା ବେଳେ ତାହା ମଧ୍ୟ ରାସ୍ତା ଖରାପ ଥିବାରୁ ଅଧା ବାଟରୁ ଫେରିଗଲା। ଏବେ ପଞ୍ଚାୟତ ବାସୀଙ୍କ ପାଇଁ ମୁଖ୍ୟତଃ ରାସ୍ତା ସମସ୍ୟା ସମାଧାନ ନ ହେଲେ ମୌଳିକ ସୁବିଧା ଗ୍ରାମରେ ପହଞ୍ଚିବା ସମ୍ଭବ ପର ହେବ ନାହିଁ ବୋଲି ପଞ୍ଚାୟତ ବାସୀ କହିଛନ୍ତି । ସେଥିପାଇଁ ଡି.ଏମ.ଏଫ ଅନୁଦାନରୁ ମଞ୍ଜୁର ହୋଇଥିବା ରାସ୍ତା କାମ ଯଥା ଶୀଘ୍ର ଆରମ୍ଭ ନ କଲେ ରାସ୍ତା ରୋକ୍ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦାୟୀ ରହିବେ ବୋଲି ବୁଦ୍ଧିରାମ ପୂର୍ତ୍ତି, ସୁନାରାମ ପୂର୍ତ୍ତି, ରାଉତ ହୋ, ବ୍ରଜ ହେମ୍ବ୍ରମ, ଲାଦୁ ଗୋଇପାଇ, ମୁଚିରାମ ହୋ, ଜେନା ମହାକୁଡ଼, ରାମଚନ୍ଦ୍ର ଟୁଡୁ, ହେମନ୍ତ ମାଝୀ, ସାଉଁରୀ ପୂର୍ତ୍ତି, ଆରତି ମୁର୍ମୁ,କାନ୍ଦିରୀ ସୋରେନ,ମାନ୍ୟା ସୋରେନ,ପାନ ସୋରେନ, ଗୁରୁବାରୀ ପୂର୍ତ୍ତି, ମେଚ ବିଦ୍ରା, ସୁମୀ ପୁର୍ତ୍ତି,ସୁତୁରୀ ପୂର୍ତ୍ତି, ରାଉତ କାଣ୍ଡିହାଂ, ନରି ନାଇକ, ଭାଗିରଥି ନାଇକ ପ୍ରମୁଖ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।