ସରକାରୀ ବିଜ୍ଞାନ ମହବିଦ୍ୟାଳୟକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଚାନକ୍ ପରିଦର୍ଶନ
ଛତ୍ରପୁର,-: ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ଶନିବାର ଅପରାହ୍ନରେ ଅଚାନକ୍ ପରିଦର୍ଶନ କରି ଯୁକ୍ତଦୁଇ ଓ ଯୁକ୍ତତିନି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖାତାକୁ ଯାଞ୍ଚ କରିଥିଲେ । ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜାଣି ପାରିଥିଲେ । ଏହି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ସହିତ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟାକୁ ଶତପ୍ରତିଶତ କରିବା ପାଇଁ ପ୍ରିନ୍ସପାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବହୁ ସମୟରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମହାବିଦ୍ୟାଳୟକୁ ଆସିବା ସମୟ ନିଘଣ୍ଟ ସଠିକ୍ ରହୁନାହିଁ । କେତେ ବୁଝାଇଲେ ମଧ୍ୟ ମୋ କଥାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ପ୍ରିନ୍ସପାଲ ଡ.ପିଙ୍କି ରାଣୀ ଦେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିଜର କ୍ଷମତାକୁ ପ୍ରୟୋଗ ଅର୍ଥାତ୍ ଯେଉଁମାନେ ଦାୟିତ୍ୱହୀନ ହେଉଛନ୍ତି ସେମାନଙ୍କ ବିରୋଧ କାଗଜ କଲମରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରନ୍ତୁ । ବାୟୋମେଟ୍ରିକ୍କୁ କଡାକଡି କରାଯାଉ । ଯୁକ୍ତଦୁଇ ଓ ଯୁକ୍ତତିନିର ଅଧ୍ୟାପକଙ୍କ ଶ୍ରେଣୀ ନେବା ସମୟକୁ ନୋଟିସ୍ ବୋର୍ଡରେ ଝୁଲାନ୍ତୁ । ମହାବିଦ୍ୟାଳୟର ପାଠାଗାରକୁ ନିୟମିତ ଖୋଲା ରଖାଯାଉ ବୋଲି ପ୍ରିନ୍ସପାଲଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଗତ ସେପ୍ଟେମ୍ବର ୩୦ ତାରିଖ ଠାରୁ ପାଠାଗାର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବସର ହୋଇଛି । ଏଣୁ ତୁରନ୍ତ ନୂତନ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ମନ୍ତ୍ରୀଙ୍କୁ କୁହାଯାଇଥିଲା । ଜିଲ୍ଲା ସଦର ମହକୁମା ଛତ୍ରପୁର ସରକାରୀ ବିଜ୍ଞାନ ମହାବଦ୍ୟିାଳୟରେ ଯୁକ୍ତଦୁଇ ଓ ଯୁକ୍ତତିନିର ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଯୁକ୍ତଦୁଇରେ ପ୍ରାୟ ୧୬୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ ଜଣ ଅଧ୍ୟାପକ ବଦଳରେ ୧୨ ଜଣ ଅଧ୍ୟାପକ ଅଛନ୍ତି । ସେହିପରି ଯୁକ୍ତତିନିରେ ୧୪୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୪୪ ଜଣ ଅଧ୍ୟାପକଙ୍କ ସ୍ଥାନରେ ମାତ୍ର ୧୩ ଜଣ ଅଧ୍ୟାପକ ରହିଛନ୍ତି । ମହାବିଦ୍ୟାଳୟରେ ସମୁଦାୟ ୩୬ ଜଣ ଅଧ୍ୟାପକ ପଦବୀ ଖାଲି ପଡିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢାରେ କିପରି ଉନ୍ନତି ଆସିବ ସେଥିପ୍ରତି ମନ୍ତ୍ରୀଙ୍କ ନୀରବତା ସମସ୍ତଙ୍କୁ ଚକିତ କରିଛି । ମହାବିଦ୍ୟାଳୟର ସମସ୍ତ ବିଷୟକୁ ଟିକିନିଖି ପଚାରି ବୁଝିଥିବା ବେଳେ ଏତେ ସଂଖ୍ୟକ ଖାଲି ପଡିଥିବା ଅଧ୍ୟାପକ ପଦବୀ ନିଯୁକ୍ତି ସଂକ୍ରାନ୍ତରେ ପଦୁଟିଏ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରା ସାହୁ ଆଲୋଚନା କରିନଥିବା ସୂଚନା ମିଳିଛି । ସେଥିରେ ପୁଣି ମହାବିଦ୍ୟାଳୟର ଯେତେ ସଂଖ୍ୟକ ଅଧ୍ୟାପକ ଓ ଅଧ୍ୟାପିକା ଅଛନ୍ତି ସେମାନଙ୍କ ଉପସ୍ଥିତି ଓ ପ୍ରସ୍ଥାନ ସମୟକୁ ଯାଞ୍ଚଞ୍ଚ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉକି ଯେ ଛତ୍ରପୁର ଠାରେ ଜାନୁୟାରୀ ୨୬ ତଥା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅତିଥୀଭାବେ ଯୋଗଦେବା ନିମନ୍ତେ ଜାନୁୟାରୀ ୨୫ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ ହାଉସ ମନ୍ତ୍ରୀ ଶ୍ରୀ ସାହୁ ରହିଥିବା ବେଳେ ସେଠାରେ ଛତ୍ରପୁର ସରକାରୀ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଦୃଷ୍ଟି ଆକର୍ଷଣ କରିଥିଲେ । ଫେବୃୟାରୀ ୧ ତାରିଖ ତଥା ଶନିବାର ମନ୍ତ୍ରୀ ଶ୍ରୀ ସାହୁ ଅଚାନକ ମହାବିଦ୍ୟାଳୟ ପରିଦର୍ଶନ କରି ଭିତ୍ତିଭୂମି ତଦାରଖ କରିଛନ୍ତି ।