ସରକାରୀ ବ୍ୟବସ୍ଥା ସ୍ଥାଣୁ ପଶୁପ୍ରେମୀଙ୍କ ଉପରେ ଭରସା

ବ୍ରହ୍ମପୁର,(ଅନିଲ କୁମାର): ପଶୁ ସୁରକ୍ଷା ଓ ରକ୍ଷଣାବେକ୍ଷଣ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘନ ଘନ ପ୍ରଚାର କରୁଥିଲେ ବି ବାସ୍ତବ ଚିତ୍ର ସମ୍ପୂର୍ଣ ଅଲଗା ଭାବେ ଆଉ ଏକ ନିଦର୍ଶନ ମିଳିଛି ବ୍ରହ୍ମପୁର ଗେଟବଜାର ବସଷ୍ଟପ ଠାରେ ଷଣ୍ଢ ଦୁର୍ଘଟଣାଗ୍ରସ୍ତ ଘଟଣାରୁ l ସୋମବାର ମଧ୍ୟରାତ୍ରରେ ଏକ ଷଣ୍ଢ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ଥାନୀୟ କିଛି ଦୋକାନୀ ଓ ଅଞ୍ଚଳବାସୀ ଲଗାତାର ଭାବେ ଆଜି ସକାଳ ୬ ଘଣ୍ଟାରୁ ପଶୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ଦୀର୍ଘ ତିନି ଘଣ୍ଟା ପରେ ଆମ୍ବୁଲାନ୍ସ ପହଂଚି କୌଣସି ପ୍ରକାର ଔଷଧ, ବ୍ୟାଣ୍ଡେଜ, ଇଞ୍ଜେକ୍ସନ, ସାଲାଇନ ସରକାର ଯୋଗାଉନାହାନ୍ତି ବୋଲି ଆମ୍ବୁଲାନ୍ସ ର ନିୟୋଜିତ ଡାକ୍ତର ଓ କର୍ମଚାରୀ ନୈରାଶ୍ୟ ପ୍ରକାଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ବାଧ୍ୟ ହୋଇ ସ୍ଥାନୀୟ ଅଂଚଳବାସୀ ପରସ୍ପର ମଧ୍ୟରେ କିଛି ଅର୍ଥ ସଂଗ୍ରହ କରି ସମସ୍ତ ଔଷଧ ପତ୍ର କିଣି ଆଣି ଷଣ୍ଢ ଟିର ଚିକିତ୍ସା ଆରମ୍ଭ କରିଥିଲେ, ହେଲେ ଚିକିତ୍ସାଳୟକୁ ଷଣ୍ଡ ଟିକୁ ନେବା ପାଇଁ ଆମ୍ବୁଲାନ୍ସ କର୍ମଚାରୀ ମାନେ ନେବାକୁ ମନାକରି ଅସହାୟ ଅବସ୍ଥାରେ ଷଣ୍ଡ ଟି କୁ ଛାଡି ଚାଲିଗଲେ l ଦୀର୍ଘ ସମୟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ମନୋଜ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସବୁ ଔଷଧୀୟ ସରଞ୍ଜାମ ରାଜ୍ୟ ସରକାର ଯୋଗାଉଛନ୍ତି, ସବୁ କିଛି ଚିକିତ୍ସାସେବା ଯୋଗାଇ ଦିଆଯିବ ବୋଲି ଫୋନ ଜରିଆରେ ପଶୁ ପ୍ରେମୀ ମନୋଜ କୁମାର ତରାଇଙ୍କୁ କହିଛନ୍ତି l ହେଲେ ଔଷଧ ଆଦି ସରଞ୍ଜାମ ସରକାର ଯୋଗାଉଥିଲେ ବି ମଧ୍ୟବର୍ତ୍ତୀ କିଏ କିଏ ସରକାରୀ ବାବୁ ମାନେ ଏହି ପଶୁଙ୍କ ପାଇଁ ଉଦ୍ଧିଷ୍ଟ ଅର୍ଥ ଆତ୍ମସାତ କରୁଛନ୍ତି, ତାହା ତଦନ୍ତ ସାପେକ୍ଷ ହୋଇପଡିଛି l ହେଲେ ତୁରନ୍ତ ଉକ୍ତ ଷଣ୍ଡ ଟିର ଚିକିତ୍ସା ନ ହେଲେ ଷଣ୍ଡ ଟି ଗୁରୁତର ହୋଇପଡ଼ିବା ସଙ୍କଟ ସୃଷ୍ଟି ହେବାରୁ ବହୁ ବିଳମ୍ବ ପରେ ଗତକାଲି ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରେ ଷଣ୍ଢ ଟିକୁ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ନିଆଯାଇଛି l ସମାଜସେବୀ ସୀତାରାମ ମହାନ୍ତି, ଜିତୁ ବାବୁ, ପିଣ୍ଟୁ ଜେନା, ଜିତୁ ବେହେରା, ଅମିନ ସାହୁ, ଅଜୁ ବେହେରା, ତପନ ବେହେରା ପ୍ରମୁଖଙ୍କ ଉଦ୍ୟମ କ୍ରମେ ଷଣ୍ଡଟି ର ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇ ପଶୁ ଚିକିତ୍ସାଳୟ ନିଆଯାଇଥିବାରୁ ସ୍ଥାନୀୟ ଅଂଚଳରେ ସମସ୍ତେ ସେମାନଙ୍କୁ ପ୍ରଶଂସା କରିଛନ୍ତି l ବାରମ୍ବାର ଜିଲ୍ଲା ପଶୁ ଚିକିତ୍ସାଳୟର ଏଭଳି ଦାୟିତ୍ୱହୀନ ଗୁରୁତର ଅବହେଳା ବିରୁଦ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରାଉ କରାଯିବ ବୋଲି ପଶୁ ପ୍ରେମୀ ମନୋଜ ତରାଇ ଦୃଢୋକ୍ତି ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ