ସରକାରୀ ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ସରକାରୀ ମହାବିଦ୍ୟାଳୟ ଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହେଇଯାଇଛି।ଏହି ଅବସରରେ ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷା ସ୍ଥିତି ଓ ଗତି ଶୀର୍ଷକରେ ରାଜ୍ୟ ସ୍ତରୀୟ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ବିଭାଗ ସମୂହର ନିର୍ଦ୍ଦେଶକ ପ୍ରଫେସର ନରସିଂହ ଚରଣ ପଣ୍ଡା ଯୋଗ ଦେଇ ଓଡ଼ିଆ ଭାଷାର ପ୍ରାଚୀନତା ଓ ସ୍ୱାତନ୍ତ୍ର‌୍ୟ ସଂପର୍କରେ ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ପ୍ରଫେସର ନଟବର ଶତପଥୀ ଏକବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ସ୍ଥିତି ସଂପର୍କରେ ଅଭିିଭାଷଣ ରଖିଥିଲେ । ପ୍ରତ୍ୟେକ ବ୍ୟକ୍ତି ଭାଷାର ସଂରକ୍ଷଣ ଏବଂ ପ୍ରଗତିର ଦାୟିତ୍ୱ ନେବା ଉଚିତ ବୋଲି କହିଥିଲେ । କାର୍ଯ୍ୟକ୍ରମର ସଭାପତି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକ ସଭାପତିତ୍ବ କରି ଜଗନ୍ନାଥ ସଂସ୍କୃତି ଓଡ଼ିଆ ଭାଷାକୁ ସମୃଦ୍ଧ ଓ ଦୃଢ଼ କରିଛି । ଏଣୁ ଭାଷା ଓ ସଂସ୍କୃତି ପରସ୍ପର ପରିପୂରକ । ଏଣୁ ଯେତେ ଅଧିକ ଭାବରେ ଆମେ ଭାଷାର ଗବାକ୍ଷକୁ ଉନ୍ମୁକ୍ତ କରିବା ସେତେ ଅଧିକ ନୂଆ ଶବ୍ଦକୋଷରେ ସାମିଲ ହେବେ ବୋଲି କହିଥିଲେ। ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯିବା ପରେ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଲୋପାମୁଦ୍ରା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅଧିବେଶନର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଅଧ୍ୟାପିକା ସୁଜାତା ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଲୋଚନା ଚକ୍ରର ପ୍ରଥମ ଅଧିବେଶନର “ବିଜ୍ଞାନର ବିକାଶ ଓ ଓଡ଼ିଆ ଭାଷା” ପ୍ରସଙ୍ଗରେ ବିଶେଷଜ୍ଞ ଭାବରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ରେଭେନ୍‌ସା ବିଶ୍ୱବିଦ୍ୟାଳୟ, କଟକର ଓଡ଼ିଆ ଭାଷା-ପ୍ରଯୁକ୍ତି ବିଜ୍ଞାନ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର ମାର୍ଗଦର୍ଶନ କରିଥିଲେ । ଭାଷାର ପ୍ରଚାର ପ୍ରସାର ତଥା ବିକାଶ ନିମନ୍ତେ ପ୍ରଯୁକ୍ତି ବିଜ୍ଞାନର ଅପରିହାର୍ଯ୍ୟତା ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷାର କମ୍ପୁଟରୀକରଣ କାର୍ଯ୍ୟର ତ୍ୱରାନ୍ନିତ ହେବାଦ୍ୱାରା ଭାଷାର ସଂରକ୍ଷଣ ଦ୍ରୁତ ହୋଇପାରିବ ବୋଲି ସେ ମତ ଦେଇଥିଲେ । ଏହି ଅଧିବେଶନକୁ ଡକ୍ଟର ପ୍ରୀତିଧାର ସାମଲ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ସାନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ତିମ ଅଧିବେଶନର ଅତିଥି ତଥା ବିଷୟ ବିଶେଷଜ୍ଞ ଭାବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉପ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । “ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷା” ପ୍ରସଙ୍ଗରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଗଣମାଧ୍ୟମରେ ଓଡ଼ିଆ ଭାଷା ଓ ଭାଷା ସୁରକ୍ଷାରେ ଗଣମାଧ୍ୟମର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅଧିବେଶନକୁ ଡକ୍ଟର ପ୍ରୀତିଧାରା ସାମଲ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡକ୍ଟର ମନୋରଂଜନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ନଳିନୀ ମିଶ୍ର, ଉଦୟଶଙ୍କର ଜାନି, ବିଜୟ ପ୍ରଧାନ, ରବି ଶତପଥୀ, ସି.ଏଚ୍‌. ଶାନ୍ତାକାର, ଜଳଧର ସ୍ୱାଇଁ, ମଧୁସୂଦନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସୁଶୀଲ ଗଡ଼ନାୟକ, ଡକ୍ଟର ବ୍ୟାସଦେବ ପ୍ରଧାନ, ଡକ୍ଟର ବ୍ରହ୍ମଚାରୀ ଖମାରୀ, ଡକ୍ଟର ରଞ୍ଜନ ବାରିକ୍‌, ଡକ୍ଟର କୋବିଦ ପଧାନ, ଡକ୍ଟର ହିମାଂଶୁ ଭୂଷଣ ନନ୍ଦ, ଡକ୍ଟର କେଶବ ଭୁଏ, ଡକ୍ଟର ଦୁର୍ଗାପ୍ରସାଦ ପାଣିଗ୍ରାହୀ, ଡକ୍ଟର କମଳ ମାହୁନ୍ତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ