ସରକାରୀ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଅନୁଦାନ ଘୋଷଣା ପରେ ପ୍ରଶାସନର ତତ୍ପରତା ଆରମ୍ଭ : ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କ୍ୟାବିଟେନ୍‌ରେ ମୋହର ଲାଗିବା ପରେ କନ୍ଧମାଳ ଜିଲାର ଫୁଲବାଣୀ ନିକଟସ୍ଥ ତିଲକପଡ଼ା ଠାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବା ନିଶ୍ଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କନ୍ଧମାଳ ବାସୀଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା କରିଛନ୍ତି। ୧୦୦ ସିଟ୍ ବିଶିଷ୍ଟ ମେଡ଼ିକାଲ୍ କଲେଜ ନିର୍ମାଣ ପାଇଁ ସରକାର ୩୮୦ କୋଟି ଟଙ୍କା ଅର୍ଥ ଅନୁଦାନ ଯୋଗାଇ ଦେଇଛନ୍ତି। ଏହାର ନିର୍ମାଣ କାର‌୍ୟ୍ୟକୁ ମଧ୍ୟ ଏକ ବଡ଼ ଠିକା ସଂସ୍ଥାକୁ ଦିଆଯାଇଛି। ଫଳରେ ପ୍ରଶାସନ ପକ୍ଷରୁ ମେଡ଼ିକାଲ୍ କଲେଜ ପାଇଁ ପୂର୍ବରୁ ସ୍ଥାନ ନିରୂପଣ କରାଯାଇଥିବା ବେଳେ ପୁଣି ଜଙ୍ଗଲ ବିଭାଗର ପଦସ୍ଥ ଅଧିକାରୀ ଓ କର୍ମଚାରୀ ମାନେ କଲାଡ଼ି ପଞ୍ଚାୟତର ତିଲକପଡ଼ା ଠାରେ ଉକ୍ତ ଜମିର ଡ଼ିମାରକେସନ୍ ଆରମ୍ଭ କରିଛନ୍ତି। ଫୁଲବାଣୀ ବନାଞ୍ଚଳ ଅଧିକାରୀ ସଚିଦାନନ୍ଦ ସେଠୀଙ୍କ ନେତୃତ୍ୱରେ ବହୁ ବନ କର୍ମଚାରୀ ମାନେ ଏଥିରେ ସାମିଲ୍ ହୋଇ ଚିହ୍ନଟ କାର‌୍ୟ୍ୟ ଜାରି ରଖିଛନ୍ତି। ଖୁବ୍ ଶୀଘ୍ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ନିର୍ମାଣ କାର‌୍ୟ୍ୟ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ ମଧ୍ୟ ପ୍ରଶାସନ ସୂଚନା ଦେଇଛି।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା ପରେ ସାଂସଦ , ବିଧାୟକଙ୍କ ସମେତ ବିଜେଡ଼ି ଦଳର ବହୁ ନେତା ଓ କର୍ମୀମାନଙ୍କ ପରି ଜିଲାବାସୀଙ୍କ ପକ୍ଷରୁ ମିଳିତ ନାଗରିକ କମିଟି , କନ୍ଧମାଳ ପିପୁଲ୍ସ ଫରୋମ୍ ସହିତ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି। ଏହି ଅବସରରେ ମିଳିତ ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ଏକ ପ୍ରେସ୍ ବିବୃତ୍ତି ପ୍ରକାରେ, କନ୍ଧମାଳ ଜିଲାରେ ସରକାରୀ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଫଳରେ ଜିଲାର ୮୦ଭାଗ ଗରୀବ ଲୋକ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପାଇବା ସହିତ ପଡୋଶୀ ଜିଲା ବୌଦ୍ଧ ରୋଗୀମାନେ ମଧ୍ୟ ଉପକୃତ ହେବେ। ଜିଲାରେ ସରକାରୀ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ମିଳିତ ନାଗରିକ କମିଟି ସହ ଆନ୍ଦୋଳନରେ ଯୋଗ ଦେଇ ସଫଳତା ପାଇଥିବା ଶତାଧିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ପଞ୍ଚାୟତ ରାଜ ପ୍ରତିନିଧି, ଜିଲାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସକ୍ରିୟ ସହଯୋଗ ପାଇଁ ମଧ୍ୟ ନାଗରିକ କମିଟି ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ