ସରକାରୀ ଯୋଜନାରୁ ବଞ୍ଚିତ ରଜନୀ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁ୍ଜ୍): ସରକାର ଗରିବ ଅସହାୟ ମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଥିଲେ ରଜନୀଙ୍କ ପାଇଁ ଏହି ଯୋଜନା ସାତସପନ ହୋଇ ପଡୁଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତର ଜେଉଠ ବାହାଳି ଗ୍ରାମରେ । ଗ୍ରାମର ସଞ୍ଜୟ ନାଇକଙ୍କର ଗତ ୨୭ ରେ ମୃତ୍ୟୁ ଘଟିଥିବାବେଳେ ଘରେ ତାଙ୍କର ବିଧବାପତ୍ନୀ ରଜନୀ ଓ ଦୁଇ ଶିଶୁକନ୍ୟା ଅଛନ୍ତି । ଅତି ଅସହାୟ ଅବସ୍ଥାରେ ସେ ଦିନ କାଟୁଥିବାବେଳେ କୌଣସି ସରକାରୀ ସହାୟତା ସେ ପାଇ ପାରି ନାହାନ୍ତି । ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ସ୍ୱାମୀଙ୍କର ମୃତ୍ୟୁର ବର୍ଷେ ପରେବି ସେ ଆଜ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ସହାୟତା ପାଇ ନଥିବା କହିଛନ୍ତି । ସେହିପରି ବିଧବା ଭତ୍ତା ପାଇଁ ସେ ବାରମ୍ବାର ଆବେଦନ କରିଚାଲିଥିଲେବି ତାଙ୍କ ଆବେଦନକୁ କେହି ଗୁରୁତ୍ୱ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି । ବିଶେଷକରି ବିଧବାଙ୍କ ପାଇଁ ବୟସର କୌଣସି ସୀମା ନଥିବାବେଳେ ବ୍ଲକ ପ୍ରଶାସନ ବୟସର ଦ୍ୱାହୀ ଦେଇ ସମୟ ଗଡାଇ ଚାଲିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ଗରିବ ଅସହାୟକୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।