ସରକାରୀ ସାହାଯ୍ୟ ଅପେକ୍ଷାରେ ପକ୍ଷଘାତ ରୋଗରେ ଆକ୍ରାନ୍ତ ଆଦିବାସୀ ଯୁବକ

ବୁଗୁଡା,(ଅନିଲ କୁମାର ମହାରଣା): ଗଂଜାମ ଜିଲ୍ଲା,ବୁଗୁଡା ବ୍ଲକ, କରସିଙ୍ଗି ଗ୍ରାମ ପଞ୍ଚାୟତର ସମଲାଇ ଗ୍ରାମ। କେତୋଟି ହରିଜନ ପରିବାରଙ୍କୁ ବାଦଦେଲେ ଆଉ ସମସ୍ତେ ହେଉଛନ୍ତି ଆଦିବାସୀ ପରିବାର। ସେହି ଆଦିବାସୀ ପରିବାର ମଧ୍ୟରେ ରହିଛି ଶଙ୍କର ପ୍ରଧାନ (୩୫) ଙ୍କ ପରିବାର। ଶଙ୍କରଙ୍କ ରୋଜଗାରରେ ପ୍ରତିପୋଷଣ ହେଉଥିଲେ ୭୦ ବର୍ଷର ମାଆ ମାଲତି,ପତ୍ନୀ ଅଞ୍ଜନା(୩୦), ବଡ ଝିଅ ବର୍ଷାରାଣୀ(୧୫), ପୁଅ ସଞ୍ଜୟ(୧୨) ଓ ସାନଝିଅ ଆଶାରାଣୀ(୪) । ଜମିବାଡ଼ି ଚାଷ କରି ଓ ମୁଲଲାଗି ପରିବାର ପ୍ରତିପୋଷଣ କରୁଥିଲେ ଶଙ୍କର । ଦୁଇବର୍ଷ ପୂର୍ବେ ଏହି ପରିବାର ଉପରେ ପଡିଥିଲା ଅକାଳ ଚଡକ। ଶଙ୍କର ନିଜ ଗ୍ରାମର ପୋଖରୀକୁ ଗାଧୋଇବା ପାଇଁ ଯାଇ ପୋଖରୀ ହୁଡ଼ାରେ ଗଲାବେଳେ ଖାଲୁଆ ଜାଗାରେ ପାଦ ପଡିବା ଯୋଗୁଁ ସେ ଭାରସାମ୍ୟ ହରାଇ ଉଚ୍ଚ ହୁଡ଼ାରୁ ତଳକୁ ଗଡ଼ି ପଡ଼ି ଯାଇଥିଲେ । ବହୁ ସମୟ ଚେତାଶୂନ୍ୟ ଅବସ୍ଥାରେ ପଡିବା ପରେ ସେହି ଗ୍ରାମର ଜଣେ ବ୍ୟକ୍ତି ପୋଖରୀ ହୁଡା ତଳେ ଶଙ୍କରକୁ ଦେଖି ଗ୍ରାମ ଲୋକଙ୍କ ସାହାଯ୍ୟରେ ଘରକୁ ନେବା ପରେ ମେଡିକାଲକୁ ନିଆଯାଇଥିଲା । ସେହି ଦିନଠାରୁ ଶଙ୍କର ଶଯ୍ୟାଶାୟୀ। ଆଘାତ ଯୋଗୁଁ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇ ବାକଶକ୍ତି ହରାଇବା ସହ ହୋଇଗଲେ ଅଚଳ । ସ୍ୱାମୀଙ୍କ ସେବା ଓ ପରିବାର ପ୍ରତିପୋଷଣ ଦାୟୀତ୍ୱ ବହନ କଲେ ପତ୍ନୀ ଅଞ୍ଜନା ପ୍ରଧାନ । ସମଲାଇ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପାସ କଲାପରେ ବର୍ଷାରାଣୀର ଭଲ ପାଠପଢା ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବିଶ୍ବାଳଙ୍କ ସହଯୋଗରେ ଭଞ୍ଜନଗର ନିକଟ ଏକ ଆଦିବାସୀ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରେ ରହି ବଡ ଝିଅ ବର୍ଷାରାଣୀ ନବମ ଶ୍ରେଣୀରେ ପଢ଼ୁଥିଲେ । ହେଲେ ବାପାଙ୍କ ପକ୍ଷଘାତ ରୋଗ ଯୋଗୁଁ ପାଠ ପଢା ବନ୍ଦ କରି ବାପାଙ୍କ ସେବାରେ ନିୟୋଜିତ ହୋଇଥିଲେ । ଏକମାତ୍ର ପୁଅ ସଞ୍ଜୟ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ମୂତ୍ରାଶୟ ରୋଗରେ ଆକ୍ରାନ୍ତ । ପ୍ରତି ୧୦ ମିନିଟରେ ଥରେ ପରିଶ୍ରା ହେଉଥିବା ବେଳେ ଆର୍ଥିକ ଅନାଟନ ଯୋଗୁଁ ଚିକିତ୍ସା ହୋଇପାରି ନାହିଁ । ପାହାଡ଼ ପର୍ବତ ଘେରା ସମଲାଇ ଗ୍ରାମରେ ଅଞ୍ଜନାଙ୍କୁ କାଁ ଭାଁ କାମ ମିଳୁଥିବା ବେଳେ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହେଉଅଛି । ଏହି ମଧ୍ୟରେ ଅଞ୍ଜନାଙ୍କୁ ମିଳିଛି ଏକ ସାହା । ଗତ ନଭେମ୍ବର ୬ ତାରିଖ ଦିନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକ କରସିଙ୍ଗି ପାଞ୍ଚାୟତ ଗସ୍ତ ବେଳେ ସମଲାଇ ଗ୍ରାମକୁ ଯାଇଥିଲେ। ଲୋକଙ୍କ ଠାରୁ ଶଙ୍କର ପ୍ରଧାନଙ୍କ ଅବସ୍ଥା ଶୁଣି ଶଙ୍କରଙ୍କ ଘରକୁ ଯାଇ ଶଙ୍କରଙ୍କ ଶଯ୍ୟାଶାୟୀ ଅବସ୍ଥା ଦେଖି ବ୍ୟକ୍ତିଗତ ଭାବେ ଅଞ୍ଜନାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଶଙ୍କରଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ସହାୟତା ମିଳିଲେ ତାଙ୍କ ସ୍ୱାମୀ ଶଙ୍କର ଓ ପୁଅ ସଂଜୟଙ୍କ ଚିକିତ୍ସା କରାଇ ଦୁହିଁଙ୍କୁ ସୁସ୍ଥ କରିବାକୁ ଆଶା ବାନ୍ଧିଛନ୍ତି ଅଞ୍ଜନା ପ୍ରଧାନ । ଅଞ୍ଜନାଙ୍କ ଆର୍ଥିକ ଅବସ୍ଥା ଯାହା, ବିନା ସରକାରୀ ସାହାଯ୍ୟରେ ସେ ନିଜର ସ୍ୱାମୀ ଓ ପୁଅକୁ ଚିକିତ୍ସା କରାଇବା ସମ୍ଭବ ନୁହେଁ । ଅଞ୍ଜନା ପ୍ରଧାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ବୃନ୍ଦ ମଧ୍ୟ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ