ସରକାରୀ ସୁବିଧାରୁ ବଞ୍ଚିତ ଭିନ୍ନକ୍ଷମ ପରିବାର

ପାରାଦୀପ, (ଯୁଗାବ୍ଦ ନ୍ୟୁଜ) : ଯେତେବେଳେ ମଣିଷ ବଞ୍ଚିରହିବା ପାଇଁ ଖାଇବାକୁ ଗଣ୍ଡାଏ ଦାନା ମିଳେନାହିଁ, ଦୀର୍ଘ ୪ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ୮୦ ବର୍ଷର ବୃଦ୍ଧ ବାପା ର ଚିକିତ୍ସା ତ ଦୂରର କଥା, ଔଷଧ ଟିକେ କିଣିବା ପାଇଁ ପଇସା ନାହିଁ , ୬ବର୍ଷର ପୁଅ କୁ ପାଠ ପଢାଇବା ପାଇଁ ସାମର୍ଥ୍ୟ ନାହିଁ , କି ମୁଣ୍ଡଗୁଞ୍ଜି ରହିବା ପାଇଁ ପକ୍କାଘର ଟିଏ ବି ନାହିଁ , ସେତିକି ବେଳେ ଦୃଷ୍ଟିଶକ୍ତି ହରାଇଥିବା ଅନ୍ଧପୁଅ ରବିନ୍ଦ୍ର ମହାନ୍ତି, ବେସାହାରା ହୋଇ ନିଜର ୭୨ ବର୍ଷର ବୃଦ୍ଧା ମା ବାସନ୍ତୀ କୁ ନେଇ ରାହାମା ବଜାର ରେ ଭିକ ମାଗିବା ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି l ଏହି ହୃଦୟ ବିଦାରକ ଘଟଣା ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଦୃଷ୍ଟି କୁ ଆସିଥିଲା । ଦରଦୀହୃଦୟା ସ୍ନେହମୟୀ ଏହି ବିପନ୍ନ ଭିନ୍ନକ୍ଷମ ରବିନ୍ଦ୍ର ଠାରୁ ତାଙ୍କର ସବୁ ଦୁଃଖକଥା ବୁଝିବା ପରେ ହୋଟେଲ କୁ ନେଇ ଆଦରରେ ସେହି ମାଆ ପୁଅ ଦୁହିଁ ଙ୍କୁ ଖାଇବାକୁ ଦେଇଥିଲେ। ପରଦିନ ଅର୍ଥାତ ଗତ ମଙ୍ଗଳବାର ଦିନ ଫାଉଣ୍ଡେସନର ଉପଦେଷ୍ଟା ଇଞ୍ଜିନିୟର ଗଗନ ବିହାରୀ ପୃଷ୍ଟି , ଉପସଭାନେତ୍ରୀ ରଶ୍ମିତା ନାୟକ,ସାମ୍ୱାଦିକ ରମାକାନ୍ତ ରାଉଳ ଓ ନିଜର ସହଯୋଗୀ ମାନଙ୍କୁ ନେଇ ଅନ୍ଧ ରବୀନ୍ଦ୍ର ର ଘର ପାଖରେ ପହଂଚିଥିଲେ । ବିପନ୍ନ ରବିନ୍ଦ୍ର ଓ ତାର ପରିବାରର ଦୂରାବସ୍ଥା ଦେଖି ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ମାସକ ପାଇଁ ରବୀନ୍ଦ୍ର ପରିବାରକୁ ରାସନ ସାମଗ୍ରୀ ସହିତ କିଛି ଅର୍ଥରାଶି ସହାୟତା କରିଥିଲେ । ଏହି ଦୁଃଖଦାୟକ ଘଟଣା ଟି ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଜାନକାଦେଇପୁର ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ। ଗରିବ ଅସହାୟ ଓ ଭିନ୍ନକ୍ଷମ ଲୋକମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ମାଳ ମାଳ ଯୋଜନା ଥାଉ ଥାଉ ଆଜି ପର୍ଯ୍ୟନ୍ତ ଏହି ବିପନ୍ନ ଭିନ୍ନକ୍ଷମ ପାଇଁ ମିଳିପାରିନାହିଁ ସରକାରୀ ଆବାସଯୋଜନାରେ ବାସଗୃହ ଟିଏ , ନା ମିଳିପାରିଛି ରବିନ୍ଦ୍ର ର ବାପା ପକ୍ଷାଘାତ ରୋଗୀ ବୈଷ୍ଣବ ମହାନ୍ତି ଙ୍କ ଆଶୁଚିକିତ୍ସା ପାଇଁ କିଛି ଆର୍ଥିକ ସହାୟତା,ନା ମିଳି ପାରିଛି ରେସନ କାର୍ଡ । ଏସବୁ ପାଇବା ପାଇଁ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଥକି ପଡ଼ିଲାଣି ଅନ୍ଧ ରବିନ୍ଦ୍ର ମହାନ୍ତି। ତାର ଜୀବନର ଭବିଷ୍ୟତ ଅନ୍ଧକାରମୟ ହୋଇ ପଡ଼ିଛି। ତେବେ ଏରସମା ବ୍ଲକ ପ୍ରଶାସନ , ଜଗତସିଂହପୁର ଜିଲ୍ଲା ପ୍ରଶାସନ , ରାଜ୍ୟ ସରକାର ଏହି ବିପନ୍ନ ଭିନ୍ନକ୍ଷମ ପରିବାର ପାଇଁ ସାହାଯ୍ୟ ସହଯୋଗ କରିବାକୁ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରିଅଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ