ସରକାର ନିଦରେ, ଅଭିଭାବକ ରାଜରାସ୍ତାରେ
ଭୁବନେଶ୍ୱର, (ୱାଇଏନ୍ଏସ୍):ଘରୋଇ ବିଦ୍ୟାଳୟ ସ୍କୁଲ୍ ଫି ମାମଲାରେ ଅଭିଭାବକମାନଙ୍କୁ କିପରି ରିହାତି ଦିଆଯାଇପାରିବ, ମାନ୍ୟବର କୋର୍ଟ ଏକ କମିଟି ଜରିଆରେ ଓ ଅପୋଷ ବୁଝାମଣା ମାଧ୍ୟମରେ ଓଡ଼ିଶା ସରକାରଙ୍କ ମତ ମାଗିଛନ୍ତି । ଏଥିରେ ପକ୍ଷଭୁକ୍ତ ହୋଇଥିବା ତଥାକଥିତ ଅଭିଭାବକ ମହାସଂଘ, ସମସ୍ତ ପକ୍ଷଙ୍କୁ ନେଇ ଏକ ବୁଝାମଣା (ମୋଉ) ହୋଇଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛି । ପ୍ରକୃତପକ୍ଷେ ଏହି ମକଦ୍ଦମାର ମୂଳ ମର୍ଜିଦାତା ମହମ୍ମଦ ଅଂଶୀରୀଙ୍କ ଅଭିଭାବକ ପ୍ରତିନିଧିଙ୍କୁ ଉପେକ୍ଷା କରି ପକ୍ଷଭୁକ୍ତ ସ୍କୁଲ୍ ମାଲିକ ସଂଘ ଓ ସେହି ସ୍କୁଲ୍ମାନଙ୍କର ତଥାକଥିତ ଶିକ୍ଷକ ସଂଘ ସହ ଏଇ ଅଭିଭାବକ ମହାସଂଘ ବୋଲାଉଥିବା କେତୋଟି ଲୋକ ଯୁକ୍ତିସଙ୍ଗତ ଦାବି ନ ରଖିପାରି ଲୁଚାଛପାରେ (ମୋଉ) ସ୍ୱାକ୍ଷର କରିଛନ୍ତି । ମାନ୍ୟବର କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ କମିଟିରେ କୌଣସି ଆଲୋଚନା କିମ୍ବା ପର୍ଯ୍ୟାଲୋଚନା କରିବାକୁ ଏହି ତଥାକଥିତ ଅଭିଭାବକ ମହାସଂଘ ବିରୋଧ କରିଥିଲା ।ମୂଳ ଅର୍ଜିଦାତାଙ୍କ ଅଭିଭାବକ ପ୍ରତିନିଧି ଯୁକ୍ତିସଙ୍ଗତ ଭାବରେ ସରକାରଙ୍କ ପାଖରେ ଦାବି ରଖି କହିଛନ୍ତି କି, କରୋନା କରାଳରେ ଅଭିଭାବକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିବା ସହ କେତେକ ଜୀବିକା ମଧ୍ୟ ହରାଇଛନ୍ତି । ୬ ମାସର ଲକଡ଼ାଉନ, ୬ ବର୍ଷ ତଳକୁ ଠେଲିଦେଇଛି । ଅଭିଭାବକମାନେ ସେମାନଙ୍କ କୌଣସି ମହତ୍ ଉଦ୍ଦେଶ୍ୟ ପାଇଁ ରଖିଥିବା କଷ୍ଟ ଅର୍ଜିତ ସଞ୍ଚୟକୁ ଜଳାଞ୍ଜଳି ଦେଇସାରିଲେଣି । ଅନ୍ଲାଇନ୍ ପାଠପଢା, ଅଭିଭାବକମାନଙ୍କ ଉପରେ ‘ବୋଝ ଉପରେ ନଳିତା ବିଡ଼ା ସଦୃଶ’ ଆର୍ଥିକ ଭାର ବଢିଛି । ବହୁ ଜାଗାରେ ଏହି ଅନ୍ଲାଇନ୍ ପାଠପଢା ହୋଇପାରୁନାହିଁ । ଏପଟେ ସ୍କୁଲ୍ର ବ୍ୟୟଭାର ବହୁ ପରିମାଣରେ କମିଥିବା ବେଳେ ଏବର୍ଷ ଫି ବର୍ଦ୍ଧିତ କରାନଯାଉ । ଅନୁଚିତ ବା ସହାୟକ ଫି ଗୁଡିକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଉ । କେବଳ ଶିକ୍ଷକ ଓ କର୍ମଚାରୀମାନଙ୍କ ବିଗତ ବର୍ଷ ଦରମାର ୭୦ ଭାଗ ହିସାବକୁ ନେଇ ଅଭିଭାବକମାନଙ୍କ ପାଇଁ ଏବର୍ଷ ଫି ସ୍ଥିର କରାଯାଉ । ସ୍କୁଲ୍ ପରିଚାଳନା ପାଇଁ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖର୍ଚ୍ଚ ଯଦିକିଛି ନିଅଣ୍ଟ ପଡ଼େ, ସିବିଏସ୍ଇ, ଆଇସିଏସ୍ଇ ସହ ସହବନ୍ଧନ ନିୟମ ଅନୁସାରେ ପ୍ରାକୃତିକ ଵିପର୍ଯ୍ୟୟ ପାଇଁ ରଖିଥିବା ପାଣ୍ଠିରୁ ସ୍କୁଲ୍ ଭରଣା କରୁ । ଆବଶ୍ୟକ ପଡ଼ିଲେ ଶିକ୍ଷା ବିଭାଗର ଆରକ୍ଷଣ ପାଣ୍ଠିରୁ କିଛି ସରକାର ସହାୟତା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ଫି ଛାଡ଼ ରାଶି ଗୁଡ଼ିକର ପ୍ରଭାବ ସିଧାସଳଖ ଆସନ୍ତା ବର୍ଷଗୁିଡ଼ିକରେ ଅଭିଭାବକମାନଙ୍କ ଉପରେ ଯେପରି ନ ପଡ଼େ, ସେଥିପ୍ରତି ଦୃଷ୍ଟି ଦେବାକୁ ଯୁକ୍ତି ରଖିଛନ୍ତି ।ଏହି ତଥାକଥିତ ପକ୍ଷଭୁକ୍ତ ଅଭିଭାବକ ମହାସଂଘ, ଲୋକମାନଙ୍କର ପ୍ରିୟପାତ୍ର ହେବା ନିମନ୍ତେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମଛ ପ୍ରଚାର କରିଛି । ନୋ-ସ୍କୁଳ୍, ନୋ-ଫି ନାରା ଦେଇଥିବା ଏହି ତଥାକଥିତ ଅଭିଭାବକ ନେତାମାନେ ସ୍କୁଲ୍ଗୁଡ଼ିକୁ ୭/୮ ଭାଗରେ ବିଭକ୍ତ କରି ଏବର୍ଷ ବର୍ଦ୍ଧିତ ସମୁଦାୟ ସ୍କୁଲ୍ ଫି ଉପରେ ୭%, ୧୦%, ୧୫%, ୨୦% ଛାଡ଼ କରିବା ପାଇଁ ଅଯୌକ୍ତିକ ବୁଝାମଣା କିପରି କଲେ ଏବଂ ଆମ ସରକାର ଏହି ଅଯୌକ୍ତିକ ମୋଉକୁ ବହୁମତ ଅନୁସାରେ ଗ୍ରହଣ ହୋଇଛି ବୋଲି କିପରି ମତ ରଖିପାରିଲେ ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଏହାଛଡ଼ା ସରକାରୀସ୍ତରରେ ଘରୋଇ ବିଦ୍ୟାଳୟ ଅଭିଭାବକମାନଙ୍କ ପାଇଁ ସରକାର କିଛି ଯୋଜନା କିମ୍ବା ନିୟନ୍ତ୍ରଣ ବିଷୟରେ କିଛି ଉଲ୍ଲେଖ କରିନାହାଁନ୍ତି । ଆଶ୍ଚର୍ଯ୍ୟର କଥା, ବିନା ଏନ୍ଓସିରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ବ୍ୟବବସାୟିକ ଅନୁଷ୍ଠାନରେ ପରିଣତ କରିସାରିଛନ୍ତି, ଏମାନଙ୍କ ଉପରେ କିଛି ଅଙ୍କୁଶ ନାହିଁ । ଶିକ୍ଷା ନାମରେ ଛୋଟ ଛୋଟ ପିଲାମାନଙ୍କୁ ଶୋଷଣ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିବା ଏହି ଅନୁଷ୍ଠାନମାନଙ୍କ ଆର୍ଥିକ ଶୋଷଣକୁ ସରକାର ଏହି ସମୟରେ କିପରି ସମର୍ଥନ କରୁଛନ୍ତି ତାହା ସନ୍ଦେହ ସୃଷ୍ଟି କରୁଛି । କିଛି ଅଦୃଶ୍ୟ ସ୍ୱାର୍ଥ ପାଇଁ ତଥାକଥିତ ଅଭିଭାବକ ମହାସଂଘକୁ ହାତବାରିଶ କରି ମୂଳ ଅର୍ଜିଦାତାଙ୍କ ସରକାରଙ୍କ ପାଖରେ ଦାବିକୁ ଧୂଳିସାତ୍ କରଯାଉ ନାହିଁ କି? ସରକାର ସଠିକ ଢଙ୍ଗରେ ଜନସାଧାରଣଙ୍କୁ ନ୍ୟାୟ ନଦେଇ, ନ୍ୟାୟପାଳିକାଙ୍କ ନାମରେ ପାରି ହେବାକୁ ବସିଲେ ଅଭିଭାବକମାନଙ୍କର ଅଦୃଶ୍ୟ ଶକ୍ତିକୁ ସରକାର ଆଗାମୀ ଦିନରେ ନିଶ୍ଚିତ ସମ୍ନା କରିବେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡିଏଭି, ସାଇ, ଡିପିଏସ୍, ବିଜେଇଏମ୍, ନାରାୟଣା, ଓଡ଼ିଏମ୍, ମଦର୍ସ, ଏମ୍ବିସି ସ୍କୁଲ୍, ୟଙ୍ଗ ଫୋନିକ୍ସ, ଗୌରୀଶଙ୍କର, ଜାଭିୟର, ଭେଙ୍କଟେଶ୍ୱର, ସେଣ୍ଟପଲ୍ ସ୍କୁଲର ଅଭିଭାବକମାନଙ୍କ ସହ ଅନ୍ୟ ଜିଲ୍ଲାରୁ ବହୁ ଅଭିଭାବକ ଯୋଗ ଦେଇଥିଲେ ।