ସରପଞ୍ଚଙ୍କୁ ଧନ୍ୟବାଦ ଜଣାଇ ସଙ୍ଗରୋଧ କେନ୍ଦ୍ରରୁ ବିଦାୟ ନେଲେ ପ୍ରବାସୀ ଓଡ଼ିଆ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତରେ ଗତ ୨୫ ତାରିଖରୁ ପ୍ରଥମ ପର୍ଯ୍ୟାୟ ସଙ୍ଗରୋଧ କାର୍ଯ୍ୟକ୍ରମ ସରିଥିବା ବେଳେ ଏବେ ଦୁଇ ଦିନ ହେବ ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ଦ୍ଵିତୀୟ ପର୍ଯ୍ୟାୟରେ ଅନ୍ତେବାସୀମାନେ ସାତ ଦିନିଆ ସରକାରୀ ସଙ୍ଗରୋଧ କାର୍ଯ୍ୟକ୍ରମ ସାରି ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି I ଗତ କାଲି ଏହି ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରୁ ୮୬ଜଣ ଅନ୍ତେବାସୀ ଭାବବିହ୍ଵଳ ବିଦାୟ ନେଇଥିବା ବେଳେ ଆଜି ସେହି ଘଟଣାର ପୁନରାବୃତ୍ତି ଘଟିଛି ପଞ୍ଚାୟତର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ I ଉଭୟ ପ୍ରଶାସନ ଏବଂ ସଙ୍ଗରୋଧ କେନ୍ଦ୍ର ଦାୟିତ୍ଵରେ ଥିବା ପ୍ରଚେଷ୍ଟା ଯୋଗୁଁ ଦ୍ଵିତୀୟ ପର୍ଯ୍ୟାୟ ସାତ ଦିନିଆ ସଙ୍ଗରୋଧ କାର୍ଯ୍ୟକ୍ରମ ଥିଲା ଖୁବ୍ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ I ପ୍ରତ୍ୟହ ଜାତୀୟ ସଙ୍ଗୀତ ଗାନରୁ ଆରମ୍ଭ ହେଉଥିବା କାର୍ଯ୍ୟକ୍ରମ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ଵାଇଁ ପରିଚାଳିତ କରୁଥିଲେ I ଦୈନନ୍ଦିନ ଯୋଗ, ବ୍ୟାୟାମ, କରୋନା ସଚେତନତା ଶିକ୍ଷା ସହ ପ୍ରତି ଅପରାହ୍ଣରେ ଅନ୍ତେବାସୀମାନେ ସ୍ୱଇଚ୍ଛାରେ ପରିବେଶ ପରିଷ୍କାର ସହ ବଗିଚା କାମ ମଧ୍ୟ କରୁଥିଲେ I ଏହିଭଳି କାର୍ଯ୍ୟକ୍ରମ ମଧ୍ୟରେ ପ୍ରତ୍ୟେକ ଅନ୍ତେବାସୀଙ୍କ ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଏବଂ ସରପଞ୍ଚଙ୍କ ସହ ଏକ ନିଆରା ସମ୍ପର୍କ ଗଢ଼ି ଉଠିଥିଲା I ଆଜି ସକାଳ ଜଳଖିଆ ପରେ ଅନ୍ତେବାସୀମାନେ ସରପଞ୍ଚ ଏବଂ ବିଦ୍ୟାଳୟ କର୍ମଚାରୀଙ୍କୁ ସଙ୍ଗରୋଧ କେନ୍ଦ୍ରର ସୁବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇ ସାତ ଦିନିଆ କାର୍ଯ୍ୟକ୍ରମର ପ୍ରମାଣପତ୍ର ସହ ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନତା ବାର୍ତ୍ତା ଧରି ବିଦାୟ ନେଇଥିଲେ I ବିଦାୟୀ ଅନ୍ତେବାସୀମାନଙ୍କ ମଧ୍ୟରେ ୫୨ ଜଣ ପୁରୁଷ, ୧୦ଜଣ ମହିଳା ଥିଲାବେଳେ ୨ଜଣ ଛୋଟ ଶିଶୁ ରହିଥିଲେ I ସଙ୍ଗରୋଧ କେନ୍ଦ୍ର ଅଧୀକ୍ଷକ ସିମାଞ୍ଚଳ ଶତପଥୀ, ଶିକ୍ଷକ ସିମାଞ୍ଚଳ ଦାସ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ଵାଇଁ, ବିଦ୍ୟାଳୟ କିରାଣି ସୁକାନ୍ତ କୁମାର ବିଷୋୟୀ, ବିଦ୍ୟାଳୟ କର୍ମଚାରୀ ଭିକାରୀ ଚରଣ ସ୍ଵାଇଁ, ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ସହ ଅନ୍ୟାନ୍ୟ ପଞ୍ଚାୟତ ଅଧିକାରୀମାନଙ୍କ ଉପସ୍ଥିତିରେ ବିଦାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ସୂଚନା ଯୋଗ୍ୟ ଯେ ଗାଙ୍ଗପୁର ସରପଞ୍ଚଙ୍କ ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ଉତ୍ତମ ଦାୟିତ୍ଵବୋଧପାଇଁ ଆଜି ମାନନୀୟ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସାଧୁବାଦ୍ ଜଣାଇଥିବାରୁ ସରପଞ୍ଚ ମଧ୍ୟ ଉଭୟ ବ୍ଲକ୍ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି ଆଜି ଖଇରପୁଟିର ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରୁ ୮୮ ଜଣ ପୁରୁଷ, ୨୧ଜଣ ମହିଳା ଏବଂ ୧୯ ଜଣ ଶିଶୁଙ୍କ ସମେତ ସମୁଦାୟ ୧୨୮ ଜଣ ଅନ୍ତେବାସୀ ବିଦାୟ ନେଇଥିଲେ I ବିଦାୟ ସମୟରେ ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚ ପ୍ରତିମା ଜେନାଙ୍କ ସମେତ ସମିତି ସଭ୍ୟ ପ୍ରଭାତ କୁମାର ସ୍ଵାଇଁ, ସଙ୍ଗରୋଧ କେନ୍ଦ୍ର ଅଧୀକ୍ଷକ ଗାୟତ୍ରୀ ମିଶ୍ର, ଜିଆରଏସ୍ ରବିନ୍ଦ୍ର ପାଣିଗ୍ରାହୀ ଏବଂ ରାଜେଶ୍ ସ୍ଵାଇଁ ଉପସ୍ଥିତ ଥିଲେ I ସଙ୍ଗରୋଧ କେନ୍ଦ୍ର ସୁପରିଚାଳନା ପାଇଁ ବେଲଗୁଣ୍ଠI ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ଉଭୟ ଗାଙ୍ଗପୁର ଏବଂ ଖଇରପୁଟି ସରପଞ୍ଚଙ୍କୁ ସାଧୁବାଦ୍ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ