ସରପଞ୍ଚଙ୍କୁ ପୁଲିସର ମାଡ, ବାଙ୍ଗୋର ଓ ବଉଳା ଅଞ୍ଚଳରେ ପୁଲିସର ଫ୍ଲାଗମାର୍ଚ୍ଚ

ହାଟଡିହି (ଓ୍ବାଇଏନ୍ଏସ୍) : ସୋସୋ ଥାନା ଅଧିନସ୍ଥ ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚଙ୍କୁ ପୁଲିସର ଆକ୍ରମଣ ଘଟଣାରେ ଗତକାଲି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଲୋକମାନେ ରାସ୍ତାରୋକ, ଫାଣ୍ଡି ଘେରାଉ ଭଳି ଆନ୍ଦୋଳନ କରିଥିଲେ । ଏହାକୁନେଇ ଆଜି ପୁଲିସ ପକ୍ଷରୁ ବଉଳା, ବାଙ୍ଗୋର ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ସୋସୋ ଥାନା ପୁଲିସ ଓ ବଉଳା ଫାଣ୍ଡି ପୁଲିସ ନେତୃତ୍ୱରେ ପୁଲିସ ଫୋର୍ସମାନେ ବଉଳା, ଖାଦାନ ହାଟ, ବାଙ୍ଗୋର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଗତ ୨ତାରିଖ ରାତିରେ ବାଙ୍ଗୋର ପଞ୍ଚାୟତର ସରପଞ୍ଚ ସୁପ୍ରଭା ରାଉତ କ୍ୱାରେଣ୍ଟାଇନ ସେଣ୍ଟରରୁ ଜଣେ ପ୍ରବାସୀ ନିଖୋଜ ହୋଇଯିବା ନେଇ ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିବାବେଳେ ସୋସୋ ପୁଲିସର ଆକ୍ରୋଶର ଶୀକାର ହୋଇ ପୁଲିସ ଠାରୁ ମାଡ ଖାଇଥିଲେ । ଏହାକୁନେଇ ଗତକାଲି ଦୁଇଟି ପଞ୍ଚାୟତର ହଜାର ହଜାର ମହିଳା ଓ ପୁରୁଷ ରାସ୍ତା ବଉଳା- ବିଦ୍ୟାଧରପୁର ରାସ୍ତାକୁ ଅବରୋଧ କରିବା ସହିତ ବଉଳା ଫାଣ୍ଡିକୁ ଘେରାଉ କରିଥିଲେ । ସେହି ୨ତାରିଖ ରାତିରେ ଅନ୍ୟ ଏକ ମାମଲାରେ ଗହଳଡାହିର ଲୋକମାନେ ଫାଣ୍ଡି ଘେରାଉ କରିବା ସହିତ ଫାଣ୍ଡିକୁ ଟେକାପଥର ମାଡ କରିଥିବା ନେଇ ପୁଲିସ ଅଭିଯୋଗ କରି ଧନୁର୍ଜୟପୁର ସରପଞ୍ଚଙ୍କ ସ୍ୱାମୀଙ୍କ ସହିତ ଅନ୍ୟଜଣେ ସହଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଦୁଇ ଅଭିଯୁକ୍ତ ଆଜି କୋର୍ଟରୁ ଜାମିନିରେ ଆସିବାପରେ କାଳେ କୌଣସି ଅଘଟଣ ଘଟିବ ସେନେଇ ପୁଲିସ ପକ୍ଷରୁ ସତର୍କତା ମୁଳକ ପଦକ୍ଷେପ ନିଆଯାଇଛି । ବଉଳା ଫାଣ୍ଡିରେ ପୁଲିସର ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅନ୍ୟପକ୍ଷରେ ଏତେ ସଂଖ୍ୟକ ପୁଲିସ ଉପସ୍ଥିତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଥିବାବେଳେ ଭୟର ବାତାବରଣ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ