ସରପଞ୍ଚଙ୍କୁ ବଦନାମ କରିବା ପାଇଁ ବିରୋଧୀଗୋଷ୍ଠୀଙ୍କ ଚକ୍ରାନ୍ତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତର ସରପଞ୍ଚଙ୍କୁ ବଦନାମ କରିବା ପାଇଁ ବିରୋଧୀ ଗୋଷ୍ଠୀ ମାନେ ଚକ୍ରାନ୍ତ ଚଳାଇ ମିଥ୍ୟା ମାମଲାରେ ଛନ୍ଦି ଦେବା ସହ ସୋସିଆଲ ମିଡିଆରେ ଅପପ୍ରଚାର ଚଳାଇଥିବା ପ୍ରତିବାଦରେ ଶୁକ୍ରବାର ଓଡଙ୍ଗ ଠାରେ ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ ପକ୍ଷରୁ ଏକ ସାମ୍ବାଦିନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୱାର୍ଡ ସଭ୍ୟ ପିତାମ୍ବର ପୁହାଣ, ସନାତନ ସାହୁ ଓ ଅଭୟ ସ୍ୱାଇଁ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ଅଭିଯୋଗ କରିଛନ୍ତି ଯେ, ଗତ ଗୁରବାର ଓଡଙ୍ଗ ଗ୍ରାମର ଦୁଇ ଭାଇ ଗଙ୍ଗାଧର ପଢିଆରୀ ଓ ପାର୍ଥସାରଥୀ ପଢିଆରୀଙ୍କ ମଧ୍ୟରେ ଜମି ଦଖଲକୁ ନେଇ ପାଟିତୁଣ୍ଡ ହୋଇଥିଲା । କୌଣସି ସୂତ୍ରରୁ ସରପଞ୍ଚ ଖବର ପାଇ ସେଠାରେ ପହଞ୍ôଚ ଥିଲେ । ଘଟଣା ସ୍ଥଳରେ ବହୁ ଲୋକ ଉପସ୍ଥିତ ଥିବା ବେଳେ କେହି କୋଭିଡ୍ ନିୟମ ପାଳନ କରୁନଥିଲେ । ଫଳରେ ସରପଞ୍ଚ ସେମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ କହିବା ସହିତ ପାଟିତୁଣ୍ଡ ନକରିବାକୁ ପରାମର୍ଶ ଦେଇଥିଲେ । ଏଥିସହ ଆଗରପଡା ଥାନାକୁ ଘଟଣା ସଂପର୍କରେ ଜଣାଇଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ôଚ ସରପଞ୍ଚଙ୍କୁ ଘଟଣା ସଂପର୍କରେ ନପଚାରି ସେହି ଗ୍ରାମର ୩ୟ ପକ୍ଷ ଲକ୍ଷ୍ମୀଧର ମଳିକଙ୍କ ମତାମତକୁ ଗ୍ରହଣ କରି ଉଦ୍ଦେଶ୍ୟ ମୂଳକ ଭାବେ ସରପଞ୍ଚଙ୍କୁ ବଦନାମ କରିବା ପାଇଁ ମାମଲା ରୁଜ୍ଜୁ କରିଛନ୍ତି । କରୋନା ମୁକାବିଲା ପାଇଁ ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବାରୁ ଖବର ପାଇ ଘଟଣା ସ୍ଥଳକୁ ସରପଞ୍ଚ ଯାଇଥିଲେ । ମାତ୍ର ତାଙ୍କୁ ବିରୋଧୀ ଗୋଷ୍ଠୀ ମାନେ ଜାଣିଶୁଣି ମିଥ୍ୟା ମାମଲାରେ ଛନ୍ଦି ଦେଇଥିବା ଅଭିଯୋଗରେ କହିଛନ୍ତି । ସେହିପରି କରୋନା ମୁକାବିଲାରେ ଓଡଙ୍ଗ ପଞ୍ଚାୟତ ବ୍ଲକର ସଫଳତା ହାସଲ କରିଥିବାରୁ ବିରୋଧୀ ମାନେ ଇର୍ଷାନ୍ୱିତ ହୋଇ ତାଙ୍କୁ ବଦନାମ କରିବାକୁ ଅପଚେଷ୍ଟା ଚଳାଇଛନ୍ତି । ଏହାକୁ ନେଇ ସରପଞ୍ଚଙ୍କ ସମେତ ପଞ୍ଚାୟତର ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ମିଥ୍ୟା ମାମଲା ପ୍ରତ୍ୟାହାର କରିବା ସହ ସୋସିଆଲ ମିଡିଆରେ ଅପପ୍ରଚାର ଚଳାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ।