ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୮୨ରେ ପହଞ୍ଚିସାରିଲେଣି । ରାଜ୍ୟ ଭିତରେ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିଲେ କିଛି ଅମାନିଆ ଲକଡାଉନ ସମୟରେ ରାଜ୍ୟ ବାହାରୁ ଲୁଚି ଲୁଚି ଆସି ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଏହି ପରିପ୍ରେକ୍ଷୀରେ କରୋନାକୁ ନିଜ ପଞ୍ଚାୟତରେ ପୂରାଇ ନଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚମାନଙ୍କୁ ଶପଥ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସବୁ ସରପଞ୍ଚଙ୍କୁ ଭିସିରେ ଶପଥ ପାଠ କରାଇଛନ୍ତି । କରୋନା ମୁକାବିଲାରେ ସରପଞ୍ଚମାନଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏଥିସହ ଲକଡାଉନ ପରେ ଆସିବାକୁ ଥିବା ଲୋକଙ୍କୁ ସହଯୋଗ ଲାଗି ପରାମର୍ଶ ଦେଇଛନ୍ତି । ପଞ୍ଚାୟତରେ ଥିବା କ୍ୱାରେନଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ମଧ୍ୟ ରଖିବାକୁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କହିଛନ୍ତି । କ୍ୱାରେନଣ୍ଟାଇନ ସେଣ୍ଟରରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଗାଁକୁ ଫେରିଥିବା ଓ ଫେରିବାକୁ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ