ସରପଞ୍ଚ ପଦ ପାଇଁ ଦୁଇଭାଇ ମୁଁହାମୁହିଁ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗୁମ୍ମା ବ୍ଲକ ଭୁବନି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଦୁଇଭାଇ ପରସ୍ପର ବିରୋଧରେ ଲୋଡ଼ିବାକୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପଞ୍ଚାୟତର ଏଲିଅ ଗମାଙ୍ଗ ଓ ତାଙ୍କ ସାନ ଭାଇ ଜଗ୍ୟ ଗମାଙ୍ଗ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଞ୍ଚ ପରେ ମଧ୍ୟ ସେମାନଙ୍କ ନାମାଙ୍କନ ପତ୍ର କାଏମ ରହିଛି । ଏହାପରେ ଉଭୟ ଅଲଗା ଅଲଗା ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି । କେହି କାହା ବିରୋଧୀରେ ପ୍ରଚାର କରିବେ ନାହିଁ । ତେବେ ସରପଞ୍ଚ ହେଲେ ନିଜେ କ’ଣ କରିବେ ତାହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଘରେ ପରସ୍ପର ମଧ୍ୟରେ ଆଲୋଚନା କରୁଛିନ୍ତି । କିନ୍ତୁ ନିର୍ବାଚନ ମଇଦାନକୁ ଆସିଲେ ରାଜନୈତିକ ପ୍ରତିଦ୍ୱନ୍ଦୀ ପାଲଟି ଯାଉଛନ୍ତି । ଏଥିପାଇଁ ସେମାନଙ୍କ କୌଣସି ଅସୁବିଧା ହେଉନଥିବା କହିଛନ୍ତି।ଅନ୍ୟ ପକ୍ଷରେ ଏହି ପଞ୍ଚାୟତରେ ଗୋଟିଏ ସରପଞ୍ଚ ପଦ ପାଇଁ ୮ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମସ୍ତଙ୍କର ନାମାଙ୍କନ ଯାଞ୍ଚ ବେଳେ କାଏମ ରହିଛି । ଅନୁରୂପ ଭାବେ ସମିତି ପ୍ରାର୍ଥୀ ପାଇଁ ୪ଜଣ ୧୧ଟି ୱାର୍ଡ ମେମ୍ବର ପାଇଁ ୧୩ଜଣ ପ୍ରାର୍ଥୀ ସେମାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ପଞ୍ଚାୟତରେ ସମସ୍ତ ୧୩ଟି ପଦ ପାଇଁ ମୋଟ ୨୫ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ପଞ୍ଚାୟତରେ ରାଜନୀତି ପ୍ରତି ଲୋକଙ୍କ ଆଗ୍ରହ ରହିଛି ବୋଲି ସ୍ପଷ୍ଟ ଜଣାପଡ଼ିଛି । ତେଣୁ ଏତେ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ପ୍ରଚାର ଖୁବ ଜମିବ । ପଞ୍ଚାୟତର ଲୋକ ସଂଖ୍ୟା ୫ହଜାର ମୋଟ ଭୋଟର ସଂଖ୍ୟା ୩୧୮୩ ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୧୬୫୮ ହୋଇଥିବା ବେଳେ ପୁରୁଷ ଭୋଟର ୧୫୨୫ । ଏହି ପଞ୍ଚାୟତ ସରପଞ୍ଚ ପଦର ସ୍ୱାଦ ଦୁଇଭାଇ ଥରେ ଦୁଇଥର ଚାକିଥିବାରୁ ଚଳିତଥର ନିର୍ବାଚନରେ ମଧ୍ୟ ଦୁଇଭାଇ ମଇଦାନକୁ ଓଲ୍ହାଇଛନ୍ତି । ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଲାଗିଥିବା ବେଳେ ପଞ୍ଚାୟତର ବିକାଶ ନାଁରେ ଏହି ରାଜନୀତି ବୈତରଣୀ ପାହର ହେବାକୁ ଲାଗିଛି । ଏଥର ଦୁଇଭାଇ ନିର୍ବାଚନ ରଣାଙ୍ଗନରେ ଲଡୁଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ନିର୍ବାଚନର ଫଳାଫଳ ପରେ କାହା ମୁଣ୍ଡରେ ସୁନାର ମୁକୁଟ ଲାଗିବ ତାହା ଏବେ ଦେଖିବାକୁ ବାକି ।


