ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବିଦ୍ୟାଭରତୀ ଶିକ୍ଷା ବିକାଶ ସମିତି ତରଫରୁ ବେଲଗୁଣ୍ଠା ସୁତୁମୁସର ରୋଡ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠାନର ପରିଚାଳନା ସମିତି ସଭାପତି ରବୀନ୍ଦ୍ରନାଥ ରଥଙ୍କ ଅଧ୍ୟକ୍ଷତାରେ ସଂକୁଳ ଜ୍ଞାନ ବିଜ୍ଞାନ ମେଳା ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ସକାଳ ୯ଘଣ୍ଟ ସମୟରେ ସ୍ଥାନୀୟ ନଗରପାଳ ଫିରୋଜ କୁମାର ସେଠୀ ଓ ବେଲଗୁଣ୍ଠା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସତ୍ୟ ନାରାୟଣ ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଥିବା ବେଳେ ସହ ବିଭାଗ ପ୍ରମୁଖ ତ୍ରିନାଥ ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନର ସମ୍ପାଦକ ପବିତ୍ର କୁମାର ସାହୁ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ମେଳାରେ ଭଞ୍ଜନଗର ଓ ବେଲଗୁଣ୍ଠା ସଂକୁଳର ୩୫୦ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରଶ୍ନ ମଞ୍ଚ, ଗଣିତ ପ୍ରଶ୍ନ ମଞ୍ଚ, ସଂସ୍କୃତି ବୋଧ ପ୍ରଶ୍ନ ମଞ୍ଚ, ମାଟି ମୂର୍ତ୍ତି କଳା ଓ ଲୋକ ଗୀତ ଭଳି ବିଭିନ୍ନ ପ୍ରତି ଯୋଗିତାରେ ଭାଗ ନେଇଥିଲେ। ଏହି ସଂକୁଳର ୧୧ଟି ବିଦ୍ୟାଳୟରୁ ୨୩ ଜଣ ପରୀକ୍ଷକ ଯୋଗ ଦେବା ସହିତ ବିଭିନ୍ନ ବିଦ୍ୟାଳୟରୁ ୧୨ ଜଣ ବିଜ୍ଞାନ ଶିକ୍ଷକ ପରୀକ୍ଷକ ରୂପେ ଯୋଗ ଦେଇଥିଲେ। ଅପରାହ୍ନ ୩ଘଣ୍ଟ ସମୟରେ ଅନୁଷ୍ଠିତ ଏହି ମେଳାର ସମାରୋପ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବିଧାୟକ ପ୍ରତିନିଧି ସିଏଚ ଲିଙ୍ଗରାଜ ପାତ୍ର ଓ ସୋରଡ଼ା ନିର୍ବାଚନ ମଣ୍ଡଳୀର ଯୁବ ସମାଜସେବୀ ତଥା ଯୁବ ସଂଘଠକ ଜିତେନ୍ଦ୍ର ନାୟକ ଯୋଗ ଦେଇଥିଲେ। ସଂକୁଳ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ କରିଥିଲେ। ବିଧାୟକ ଶ୍ରୀ ବିଷୋୟୀ କୁନିକୁନି ବୈଜ୍ଞାନିକ ଓ ଗଣିତ, ସାହିତ୍ୟ, ପ୍ରବନ୍ଧ ପ୍ରତିଯୋଗିତାରେ ଉତ୍ତୀର୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହିତ ସେମାନଙ୍କ ଜୀବନରେ ଏକ ଭଲ ମଣିଷଟିଏ ହୋଇ ଓଡ଼ିଆ ମାଟିର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଭଞ୍ଜନଗର ଶିଶୁ ମନ୍ଦିରର ବରିଷ୍ଠ ବିଜ୍ଞାନ ଗୁରୁମା ସଂଗୀତା ପଟ୍ଟନାୟକ ସଂଯୋଜନା କରିଥିଲେ। ପରିଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ସୁବୁଦ୍ଧି ନିମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଏହି ମେଳାକୁ ବହୁତ ଖୁସି ମନରେ ଉପଭୋଗ କରିବା ସହିତ ସେମାନଙ୍କ ମନରେ ଏକ ବୈଜ୍ଞାନିକ ମନୋଭାବନା ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଶିଶୁ ମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ।ଅନୁଷ୍ଠାନର ସମସ୍ତ ଗୁରୁଜୀ, ଗୁରୁମା ଓ କର୍ମୀ ମାନେ ଅତି ନିଷ୍ଠାର ସହିତ ସହଯୋଗ କରିବା ସହିତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।