ସରିଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା : ମାସନ୍ତ ମେରୁ ଯାତ୍ରା ସମ୍ପନ୍ନ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବୁଧବାର ବେଲଗୁଣ୍ଠା ବ୍ଳକ୍ ବିଭିନ୍ନ ଦଣ୍ଡଦଳର ମାସନ୍ତ ମେରୁ ଯାତ୍ରା ସମ୍ପନ୍ନ ହୋଇଯାଇଛି I ଗତ ମାର୍ଚ୍ଚ 30 ଏବଂ ଏପ୍ରିଲ ଏକ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଞ୍ଚଳର ଗୋବରା, ପାଲାକଷଣ୍ଢା, ସିଂହମର୍ଦ୍ଦନ,ଦହିମୁଣ୍ଡଳୀ, ଡେଙ୍ଗାପଦର ,ବାଲିଭାଗ ,କୁଲାଙ୍ଗୀ, ବଡ଼ବୋର୍ସିଂ,ତନରଡା,ନୂଆଁଗାଁ,ଜିଲି ବା,କୋକଲୁଣ୍ଡା,ଆମ୍ବପୁଆ ପ୍ରଭୃତି ଗ୍ରାମରେ ଚଳିତ ବର୍ଷର ମାସନ୍ତ ମେରୁ ଯାତ୍ରା ସମାପନ ହୋଇଛି I ସୂଚନା ଥାଉ କି ରାଜ୍ୟରେ ଗଞ୍ଜାମ ଦଣ୍ଡ ଯାତ୍ରାର ଏକ ସ୍ଵତନ୍ତ୍ର ପରିଚୟ ଥିବାବେଳେ କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ଦୁଇ ବର୍ଷ ଧରି ଭକ୍ତ ମାନେ ମେରୁ ଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ I କିନ୍ତୁ ଚଳିତ ବର୍ଷ ବିନା କଟକଣାରେ ଜିଲ୍ଳା ପ୍ରଶାସନ ତରଫରୁ ଦଣ୍ଡ ଯାତ୍ରା ଏବଂ ମେରୁ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା I ଫଳରେ ଆଜି ମାସନ୍ତ ମେରୁ ଅନୁଷ୍ଠିତ ହେଉଥିବା ଗ୍ରାମ ଗୁଡିକରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା I ଚଳିତ ବର୍ଷ ଏହାକୁ ଯଥାରୀତି ପାଳନ କରିବା ପାଇଁ ଦଣ୍ଡ ଯାତ୍ରା କମିଟି ଏବଂ କଳାକାର ସଂଘ ଅଣ୍ଟା ଭିଡ଼ିଥିଲା I ପରମ୍ପରା ମୁତାବକ ଆଜି ଦଣ୍ଡଦଳ ଗୁଡ଼ିକ ନିଜ ନିଜ ଗ୍ରାମକୁ ଫେରିବା ପରେ ଧୂଳିଦଣ୍ଡ ,ଠାକୁର ସ୍ନାନ ସମାପ୍ତ କରାଯାଇ ରୁଦ୍ର ଏବଂ କାଳୀଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା I ଏହା ପରେ ଗ୍ରାମ ଗୁଡ଼ିକର ମେରୁ ମଣ୍ଡପରେ ପୂଜାବିଧି ମୁତାବକ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା I ମେରୁ ଯାତ୍ରା ପଡିଆରେ ହୋମ ଯଜ୍ଞ କରାଯିବା ସହିତ କାଳସୀଙ୍କୁ ନେଇ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ କାଳସୀଙ୍କ ଦ୍ୱାରା ଭକ୍ତମାନଙ୍କୁ ଆମ୍ବ ଏବଂ ଖଜୁରିକୋଳି ପ୍ରସାଦ ବଣ୍ଟନ କରାଯାଇଥିଲା I ଏହାପରେ ସନ୍ଧ୍ୟାରେ ଆଳତୀ କରାଯାଇ ରାତିରେ ବିଭିନ୍ନ ମନୋରଞ୍ଜନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କ୍ରମରେ ସିଂହମର୍ଦ୍ଦନରେ ରାମାୟଣ, ଗୋବରାରେ ଗୁପ୍ତ ସମ୍ପର୍କ, ପାଲକଷଣ୍ଢାରେ ଏଠି ତୋର ଦୋଷ ନା ମୋର ଦୋଷ, ବଡ଼ବୋର୍ସିଂରେ କର୍ଣ୍ଣ ଖୋଜୁଛି ତା ନିଜ ଠିକଣା, କୋକଲୁଣ୍ଡାରେ ଆଖି ଅବୁଝା କୁ ଲୁହ ଅବୁଝା, ଆମ୍ବପୁଆରେ ଭୁଲ୍ କାହାର , କୁଲାଙ୍ଗୀର କଳି ଯୁଗର ନୁଆଁ କାହାଣୀ, ଦହିମୁଣ୍ଡଳୀରେ ନବରଂଗ ସମେତ ଅନ୍ୟ ଗ୍ରାମ ଗୁଡ଼ିକରେ ଭାରତଲୀଳା ପ୍ରଭୃତି ନାଟକ ପରିବେଷଣ ହୋଇଥିଲା I ଶେଷ ଦିନରେ ଏହି ନାଟକ ଗୁଡ଼ିକ ଦେଖିବା ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା I ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ପୋଲିସ୍ ଏବଂ ଗାଙ୍ଗପୁର ପୋଲିସ୍ ଟିମ୍ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ I


