ସରିଲା ଦଣ୍ଡଯାତ୍ରା ଭାବବିହ୍ୱଳ ବିଦାୟ ନେଲେ କଳାକାର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଉଦଯାପିତ ହୋଇଛି ଗଂଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା I ଗଂଜାମର ଏହି ଦଣ୍ଡଯାତ୍ରାରେ ହେଉଥିବା ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଳା ସମେତ ଜିଲ୍ଳା ବାହାରୁ ମଧ୍ୟ ବହୁ କଳାକାର,ନିର୍ଦ୍ଦେଶକ ଏବଂ ଚିତ୍ରାଳୟ ଯୋଗ ଦେଇଥାନ୍ତି I ଦଣ୍ଡଯାତ୍ରା ଶେଷ ହେବାପରେ ସେମାନେ ନିଜ ନିଜର ପାଉଣା ଧରି ବିଦାୟ ନେଇଥାନ୍ତି I ସେହିପରି ଗଂଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ପାଲକଷଣ୍ଢା ଗ୍ରାମର ଦଣ୍ଡଯାତ୍ରା ଗୁରୁବାର ରାତିରେ ଉଦଯାପିତ ହୋଇଥିବା ବେଳେ ଏହାର କଳାକାର ମାନେ ଶୁକ୍ରବାର ସନ୍ଧ୍ୟାରେ ଗ୍ରାମରୁ ଭାବ ବିହ୍ୱଳ ବିଦାୟ ନେଇଛନ୍ତି I ଗୁରୁବାର ରାତିରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନଙ୍କ ଦ୍ୱାରା ମଞ୍ଚ କଳାକାର,ସଙ୍ଗୀତ ନିର୍ଦ୍ଦେଶକ,ଚିତ୍ରାଳୟ ପରିଚାଳକଙ୍କ ସମେତ ନାଟକ ନିର୍ଦ୍ଦେଶକ ଶରତଚନ୍ଦ୍ର ଦାସଙ୍କୁ ସମ୍ମାନୀତ କରାଯାଇଥିଲା I ଏହାପରେ କଳାକାର ମାନେ ଚଳିତ ବର୍ଷ ଦଣ୍ଡଯାତ୍ରାର ଅନ୍ତିମ ରଜନୀର ନାଟକ ଲୁହରେ ଲେଖୁଛି ନୁଆଁ କାହାଣୀ ମଞ୍ଚସ୍ଥ କରିଥିଲେ I ନାଟକ ଦେଖିବା ପାଇଁ ପ୍ରାୟ ପାଞ୍ଚ ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ନାଟକରେ ଯୁବ ସାମ୍ବାଦିକ ଜଗନ୍ନାଥ ନାୟକଙ୍କ ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ଵର,ନୟାଗଡରୁ ଆସିଥିବା କଳାକାର ମାନେ ମନଛୁଆଁ ଅଭିନୟ କରିଥିଲେ I ଶୁକ୍ରବାର ସକାଳେ ନାଟକ ସରିବା ପରେ କଳାକାର ମାନେ ମଧ୍ୟାହ୍ନରେ ବିଶ୍ରାମ ନେଇ ସନ୍ଧ୍ୟାରେ ନିଜ ନିଜ ଅଞ୍ଚଳକୁ ଫେରିଥିଲେ I ଏହି ଅବସରରେ ନୟାଗଡରୁ ଆସିଥିବା ନାଟ୍ୟ ନିର୍ଦ୍ଦେଶକ ଶରତଚନ୍ଦ୍ର ଦାସ,ରାଉରକେଲାରୁ ଆସିଥିବା ବି ଟ୍ୟାଲେଣ୍ଟ ଡ଼୍ୟାନ୍ସ୍ ଗୃପ୍,ନୟାଗଡର ମାଆ ତାରିଣୀ ମ୍ୟୁଜିକ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆସିଥିବା କଳାକାରଙ୍କୁ ବିଦାୟ ଦିଆଯାଇଥିଲା I ବିଦାୟ ବେଳେ ସମସ୍ତ କଳାକାର,ନାଟ୍ୟ ନିର୍ଦ୍ଦେଶକ,ନାଟ୍ୟ ପରିଚାଳକ ,ଯାତ୍ରା କମିଟି ଏବଂ ଗ୍ରାମବାସୀଙ୍କ ଆଖିରେ ଲୁହ ଆସିଯାଇଥିଲା I


