ସରିଲା ପ୍ରଚାର : ଅନ୍ଧାରି ବିଜେରେ ନେତା
ହିଂଜିଳିକାଟୁ, (ଶେଷଦେବ ସାହୁ) : ଆଉ ମାତ୍ର ୪୮ ଘଂଟା ଅର୍ଥାତ ଏପ୍ରିଲ ୧୮ ତାରିଖ ଗୁରୁବାର ଦିନ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଅନୁଷ୍ଠିତ ହେବ । ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ସନ୍ଧ୍ୟା ୫ ଟାରେ ପ୍ରଚାର ବନ୍ଦ ହୋଇଛି । ପ୍ରଚାରର ଶେଷ ଦିବସରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମେଗା ରାଲି ଓ ବିଶାଳ ସଭା ଦେଖିବାକୁ ମିଳିଛି । ପ୍ରଚାର ସରିବା ପରେ ନେତା ମାନେ ଅନ୍ଧାରି ବିଜେ ଆରମ୍ଭ କରିଛନ୍ତି । ଆସିକା ଲୋକସଭା ସଂସଦୀୟ କ୍ଷେତ୍ର ଅଧିନସ୍ଥ ହିଂଜିଳି ନିର୍ବାଚନ ମଣ୍ଡଳୀର ୨୨୪ ଟି ବୁଥକୁ ମଙ୍ଗଳବାର ପ୍ରଶାସନ ପକ୍ଷରୁ ୧୩୪୪ ଜଣ ପୁଲିଂ କର୍ମଚାରୀଙ୍କୁ ପଠାଯାଇଛି । କିଛି ସ୍ଥାନରେ ପୁଲିଂ କର୍ମଚାରୀ ମାନେ ପଂହଚି ସାରିଥିବା ବେଳେ କିଛି ଜାଗାରେ ରାତି ସୁଦ୍ଧା ପଂହଚିବେ ବୋଲି ଜଣାପଡ଼ିଛି । ହିଂଜିଳି ବିଧାନସଭା ଆସନ ପାଇଁ ସମୁଦାୟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ଗତ ୨୮ ତାରିଖରେ ପ୍ରକାଶ ପାଇବା ପରେ ୨୯ ତାରିଖ ଠାରୁ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର ଧରିଥିଲା । ବିଜେଡ଼ି ପକ୍ଷରୁ ହିଂଜିଳି ବିଧାୟକ ପ୍ରାର୍ଥୀ , ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟାଧୁନିକ ବସରେ ଆସି ରୋଡ଼ ଶୋ କରିବା ସହ ନିଜେ ନିଜ ପାଇଁ ପ୍ରଚାର କରିଥିବା ବେଳେ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଚଳଚ୍ଚିତ୍ର ସୁପରଷ୍ଟାର ବାବୁସାନ, ଅଭିନେତ୍ରୀ ମହେଶ୍ୱତା ରାୟ ପ୍ରଚାରର ମଙ୍ଗ ଧରିଥିବା ବେଳେ କଂଗ୍ରେସ ପକ୍ଷରୁ କୌଣସି ଷ୍ଟାର ପ୍ରଚାରକ ହିଂଜିଳି ଗ୍ରସ୍ତରେ ଆସିନଥିବା ବେଳେ ଦଳୀୟ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ନିଜେ ନିଜ ପାଇଁ ପ୍ରଚାର କରିଥିଲେ । ଶେଷ ଦିବସରେ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ବିଶାଳ ବାଇକ ରାଲି ଓ ରୋଡ଼ ଶୋ କରାଯାଇଥିଲା । ପ୍ରକାଶ ଥାଉକି, ଗତ ସାଧାରଣ ନିର୍ବାଚନ ଗୁଡ଼ିକରେ ଦିନକ ପୂର୍ବରୁ ପୁଲିଂ କର୍ମଚାରୀ ବୁଥକୁ ଯାଉଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଦୁଇଦିନ ପୂର୍ବରୁ ପୁଲିଂ କର୍ମଚାରୀଙ୍କୁ ବୁଥକୁ ପଠାଯାଉଛି ।