ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ତ୍ରିପୁରାରେ ସର୍ବାଧିକ ୮୧.୮% ମତଦାନ

ନୂଆଦିଲ୍ଲୀ(ଏଜେନ୍ସି): ପ୍ରଥମ ପର୍ଯ୍ୟାୟରେ ତ୍ରିପୁରା ଓ ପଶ୍ଚିମବଙ୍ଗରେ ସର୍ବାଧିକ ଲୋକ ଆଜି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତ୍ରିପୁରାର ଗୋଟିଏ ଲୋକସଭା ଆସନ ପାଇଁ ଆଜି ଭୋଟ୍ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଭୋଟ ହାର ସର୍ବାଧିକ ୮୧.୮% ରହିଛି । ସେହିପରି ପଶ୍ଚିମବଙ୍ଗର ୨ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯାଇଥିବା ବେଳେ ଏଠାରେ ଭୋଟହାର ୮୧% ରହିଛି । ସେହିପରି ନକ୍ସଲଙ୍କ ଧମକ ସତ୍ତେ୍ୱ ଛତିଶଗଡ଼ରେ ଆଜି ୫୬% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସର୍ବାଧିକ ମାଓପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ଦାନ୍ତେୱାଡ଼ାରେ କେବଳ ୭୭% ଭୋଟ୍ ଗ୍ରହଣ ହୋଇଛି । ଆଣ୍ଡାମାନ ନିକୋବରରେ ୭ଠ.୬୭%, ଲାକ୍ଷାଦ୍ୱୀପରେ ୬୬%, ତେଲେଙ୍ଗାନାରେ ୬ଠ%, ଜାମ୍ମୁ-କାଶ୍ମୀରରେ ୫୪.୪୯%, ଉତ୍ତରାଖଣ୍ଡରେ ୫୭.୮୫%, ଆନ୍ଧ୍ରପ୍ରଦେଶରେ ୬୬%, ସିକ୍କିମରେ ୬୯%, ମିଜୋରାମରେ ୬୬%, ନାଗାଲାଣ୍ଡରେ ୭୮%, ମଣିପୁରରେ ୭୮.୨%, ତ୍ରିପୁରାରେ ୮୧.୮%, ମହାରାଷ୍ଟ୍ରରେ ୫୬%, ମେଘାଳୟରେ ୬୭.୧୬%, ଉତ୍ତର ପ୍ରଦେଶରେ ୬୩.୬୯%, ଓଡିଶାରେ ଏବଂ ଆସାମରେ ୬୮% ଭୋଟ୍ ହାର ରହିଛି । ଉତ୍ତରପ୍ରଦେଶର ୮ଟି ଆସନରେ ହାରାହାରି ୬୩.୬୯ ପ୍ରତିଶତ ଭୋଟର ମତଦାନ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ବିହାରରେ ସବୁଠୁ କମ୍ ପ୍ରତିଶତ ଭୋଟିଂ ହୋଇଛି । ଏଠାରେ ୪ଟି ଆସନ ପାଇଁ ହୋଇଥିବା ମତଦାନରେ ମାତ୍ର ୫ଠ% ମତଦାନ ହୋଇଛି ।
୨ଠ୧୯ ସାଧାରଣ ନିର୍ବାଚନର ପ୍ରଥମ ଚରଣ ଆଜି ଶେଷ ହୋଇଛି । ଚଳିତ ଲୋକସଭା ନିର୍ବାଚନକୁ ୭ ପର୍ଯ୍ୟାୟରେ ନିର୍ବାଚନ ଆୟୋଗ ବିଭକ୍ତ କରିଥିବା ବେଳେ ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଦେଶବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା କୁହାଯାଉଥିବା ବେଳେ ଆଜି କିଛି ରାଜ୍ୟରେ ହିଂସାକାଣ୍ଡ ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ବିଶେଷକରି ଆନ୍ଧ୍ରପ୍ରଦେଶରେ ଶାସକ ଓ ବିରୋଧୀ ଦଳର କର୍ମୀଙ୍କ ମଧ୍ୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ସମ୍ପର୍କରେ ସୂଚନା ହସ୍ତଗତ ହୋଇଛି । ସେହିପରି ରାଜ୍ୟରେ ପ୍ରାୟ ୧୭୫ରୁ ଅଧିକ ପୋଲିଂ ବୁଥ୍ରେ ଇଭିଏମ୍ ମେସିନ୍ରେ ତ୍ରୁଟି ଥିବା ଶାସକ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ପକ୍ଷରୁ ଅଭିଯୋଗ କରାଯାଇଛି । ଏତଦ୍ବ୍ୟତୀତ ରାଜ୍ୟର ବହୁ ଯୋଗ୍ୟ ହିତାଧିକାରୀଙ୍କ ନାଁ ସଦ୍ୟ ପ୍ରସ୍ତୁତ ଭୋଟର ଲିଷ୍ଟରୁ ବାଦ୍ ପଡିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି । ଆନ୍ଧ୍ରର ୬ଟି, ଅରୁଣାଚଳ ପ୍ରଦେଶର ୫ଟି, ବିହାରରେ ଗୋଟିଏ, ମଣିପୁରରେ ୨ଟି ଓ ପଶ୍ଚିମବଙ୍ଗର ଗୋଟିଏ ବୁଥ୍ରେ ଇଭିଏମ୍ ଖରାପ ହୋଇ ଯାଇଥିବାର ଖବର ମିଳିଛି । ଅ ।ଜି ସମଗ୍ର ଦେଶରେ ୪୨୮ଟି ଭିଭିପ୍ୟାଟ୍ ମେସିନକୁ ନେଇ ଅଭିଯୋଗ ଆସିବା ପରେ ସେଗୁଡ଼ିକ ବଦଳାଯାଇଛି । ତେବେ ଏହାକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଜାମ୍ମୁକାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନିର୍ବାଚନ କମିଶନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ଏସବୁ ମଧ୍ୟରେ ୨ଠ ରାଜ୍ୟର ୯୧ଟି ଲୋକସଭା ଆସନ ଏବଂ କେତେକ ରାଜ୍ୟର ବିଧାନସଭା ଆସନ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ମେସିନ୍ରେ ସିଲ୍ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ମତଦାନରେ ଯେଉଁ ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ, ନୀତିନ ଗଡକରୀ, ହଂସରାଜ ଅହୀର, କିରଣ ରିଜିଜୁ, କଂଗ୍ରେସର ରେଣୁକା ଚୌଧୁରୀ, ଏଆଇଏମ୍ଆଇଏମ୍ର ଅସଦୁଦ୍ଦୀନ ଓୱୈସୀ ପ୍ରମୁଖ ସାମିଲ ଅଛନ୍ତି ।
ଆଜି ପ୍ରଥମ ପର୍ଯ୍ୟାୟରେ ୨ଠ ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ସମକାଳୀନ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହୋଇଛି । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ୍ ହୋଇଥିବା ବେଳେ ଓଡ଼ିଶାରେ ୪ ଲୋକସଭା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ଅନ୍ୟପକ୍ଷେ ଆସାମର ୫ଟି, ଅରୁଣାଚଳପ୍ରଦେଶର ୨ଟି, ବିହାରର ୪ଟି, ଉତ୍ତରପ୍ରଦେଶର ୮ଟି, ତେଲେଙ୍ଗାନାର ସମସ୍ତ ୧୭ଟି ଲୋକସଭା ଆସନ, ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଲୋକସଭା ଆସନ, ମହାରାଷ୍ଟ୍ରର ୭ଟି, ଉତ୍ତରାଖଣ୍ଡରେ ୫ଟି, ଛତିଶଗଡ଼ରେ ଗୋଟିଏ, ଜମ୍ମୁ କଶ୍ମୀରରେ ୨ଟି, ମଣିପୁରରେ ଗୋଟିଏ, ମେଘାଳୟରେ ୨ଟି, ମିଜୋରାମରେ ଗୋଟିଏ, ନାଗାଲାଣ୍ଡର ୨ଟି, ତ୍ରିପୁରାର ଗୋଟିଏ, ପଶ୍ଚିମବଙ୍ଗର ୨ଟି, ଆଣ୍ଡାମାନର ଗୋଟିଏ ଏବଂ ଲାକ୍ଷାଦ୍ୱୀପରେ ଗୋଟିଏ ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ୫ଟା ଯାଏ ଚାଲିଥିଲା । ନକ୍ସଲ ଉପଦ୍ରୁତ ଅଞ୍ଚଳରେ ୪ଟା ବେଳକୁ ଭୋଟ୍ ଗ୍ରହଣ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା । ଆଜି ସମଗ୍ର ଦେଶରେ ୬.୭ କୋଟି ମହିଳା ଭୋଟର ଓ ୬.୯ କୋଟି ପୁରୁଷ ଭୋଟର ନିଜର ଗଣାତନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ