ସରୁନି ରାସ୍ତକାମ ଯାତାୟତ ବାଧାପ୍ରାପ୍ତ

କୋଦଳା : (ଗୁଲସନ୍ କୁମାର କର) କୋଦଳା ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନରେ ଥିବା କୋଦଳା ଠାରୁ ସମା ଦେଇ ପୁରୁଷୋତ୍ତମପୁର ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ ବର୍ଷ ବର୍ଷ ଧରି ଚାଲୁଥିବା ଦେଖିବାକୁ ମିଳିଛି। ଫଳରେ ପ୍ରତି ଦିନ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀବାହୀ ବସ୍ ଠାରୁ ଆରମ୍ଭ କରି ତିନି ଚକିଆ ଯାନ ଓ ଦୁଇ ଚକିଆ ଯାନ ଗୁଡିକ ଯିବାରେ ଅସୁବିଧା ସୃଷ୍ଟି ହେଉଛି। ସବୁଠାରୁ ଆଶ୍ଚର‌୍ୟ୍ୟର କଥା ହେଉଛି ଠିକାଦାରକଂ ବେପରୁଆ କାର‌୍ୟ୍ୟ, ଗୋଟିଏ ପଟେ ମୋରମ୍ ଓ ପିଚୁ ପକାଇ ରାସ୍ତା ତିଆରି ସରୁଥିବା ବେଳେ ଆଉ କିଛି ଅଂଶକୁ ଖାଲି ମୋରମ୍ ପକାଇ ମାସ ମାସ ଧରି ଆଉ କାମ ହେଉନି। ଯାହାଫଳରେ କି ମେଣ୍ଟଲ୍ ଓ ମୋରମ୍ ପୁଣି ଉଠି ଯାଉଛି। କୋଦଳା ଠାରୁ ଦିଗାପଡା ଶେଷ ପର‌୍ୟ୍ୟନ୍ତ ରାସ୍ତା ନିର୍ମାଣ ସରିଯାଇଥିଲା ବେଳେ ଦିଗାପଡା ଠାରୁ ଚିଙ୍ଗୁଡିଘାଇ ପର‌୍ୟ୍ୟନ୍ତ ମୋରମ୍ ଓ ମେଣ୍ଟଲ୍ ଉଠି ଯାଇ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଯେତେବେଳେ ଦେଖିବ ରାସ୍ତାର କୌଣସି ନା କୌଣସି ଅଂଶ କାମ ହେଉଛି। ଏହା ବର୍ଷ ସାରା ଏମିତି ଚାଲୁଥିବାରୁ ସାଧାରଣରେ ସଂଦେହ ସୃଷ୍ଟି ହେଉଛି। କୌଣସି ଠିକାଦାରକୁ ଯେତେବେଳେ କାମ ଦିଆଯିବ ନିର୍ଧାରିତ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ରହିବା ଏବଂ ରାସ୍ତା ନିର୍ମାଣ ପାଇଁ କେତେ ଅନୁଦାନ ଆସିଛି, କାର‌୍ୟ୍ୟ ଆରମ୍ଭ ଓ କାର‌୍ୟ୍ୟ ଶେଷ ସମ୍ବନ୍ଧରେ ସୂଚନା ମଧ୍ୟ ନାହିଁ। ଏହି ରାସ୍ତା ଏମିତି କାହିଁକି ବର୍ଷ ବର୍ଷ ଧରି ଚାଲିଛି ଏବଂ ଏଥିପ୍ରତି ଗ୍ରାମ୍ୟଉନ୍ନୟନ ବିଭାଗୀୟ ଯନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡିଭିଜନ ମୁଖ୍ୟ ଏଥିପ୍ରତି ଦୃଷ୍ଟି ଦେଇ ବର୍ଷା ଆଗମନ ପୂର୍ବରୁ ରାସ୍ତା ନିର୍ମାଣ ଶେଷ କରିବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ