ସର୍କିଟ କୋର୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଗୁରୁତର ଅଭିଯୋଗ ଓ ସ୍ଵତନ୍ତ୍ର ମକଦ୍ଦମା ଗୁଡିକର ତୁରନ୍ତ ଫଇସଲା, ସାକ୍ଷୀ ଓ ଅଭିଯୁକ୍ତଙ୍କ ସୁବିଧା ସୁଯୋଗ, ଖର୍ଚାନ୍ତ , ସମୟ ନଷ୍ଟକୁ ଲକ୍ଷ୍ୟକରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୋହନାରେ ସର୍କିଟ କୋର୍ଟ ଖୋଲିବା ପାଇଁ ଜିଲ୍ଲା ଜର୍ଜଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଗଜପତି ଜିଲ୍ଲାର ମୋହନା ବ୍ଳକରେ ଏନଡିପିଏସ, ପୋକ୍ସ ଓ ଅନ୍ୟାନ୍ୟ ଗୁରୁତର ମକଦ୍ଦମା ସର୍ବାଧିକ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଦିବାସୀ, ଦଳିତ ଓ ଗରୀବ ଅଭିଯୁକ୍ତ ଏବଂ ସାକ୍ଷୀମାନେ ଉପାନ୍ତ ଅଞ୍ଚଳରୁ ୨ଶହ କିମି ଦୂର ପାରଳାଖେମୁଣ୍ଡି ଯାଇ କୋର୍ଟରେ ହାଜର ହେବାକୁ ଅମଙ୍ଗ ହେଉଥିଲେ । ଫଳରେ ଗୋଟିଏ ମକଦ୍ଦମା ଫଇସଲା ହେବାକୁ ଜିଲ୍ଲା ଅଦାଲତରେ ୧୫ ରୁ ୨୦ ବର୍ଷ ପଡ଼ି ରହୁଥିଲା । ଗତ ୧୫.୧୧.୨୦୨୧ ରେ ମୋହନା ଓକିଲ ସଂଘ ଉଚ୍ଚ ନ୍ୟାୟାଳୟକୁ ମୋହନାଠାରେ ଏକ ସର୍କିଟ କୋର୍ଟ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରିଥିଲେ । ଏହାରି ଉପରେ ବିଚାର କରି ଗତ ୨୭.୧୦.୨୦୨୨ରେ ପତ୍ରସଂଖ୍ୟା ୮୯୯୫ ଅନୁସାରେ ମୋହନାରେ ତୁରନ୍ତ ସର୍କିର୍ଟ କୋର୍ଟ ଖୋଲିବା ପାଇଁ ଓଡିଶା ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଜାରୀ କରିଛନ୍ତି । ପ୍ରକାଶ ଥାଉକି ମୋହନାଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ସେସନ୍ସ କୋର୍ଟ ଖୋଲିବା ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ଉପଲବ୍ଧ ରହିଛି। ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପକୁ ମୋହନା ଓକିଲ ସଂଘ, ସାମ୍ବାଦିକ ସଂଘ, ଉନ୍ନୟନ ପରିଷଦ,ଯୁବକ ସଂଘ ଓ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।