ସର୍ଟ ସର୍କିଟ ରୁ ଜଳିଗଲା ଭେରାଇଟି ଷ୍ଟୋର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ,ସ୍ୱାମୀ ସ୍ତ୍ରୀ ଗୁରୁତର
ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଆଜି ସନ୍ଧ୍ୟାରେ ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁ ରେ ସର୍ଟ ସର୍କିଟ ରୁ ନିଆଁ ଲାଗି ଦୋକାନ ସହ ତିନି ବଖରା ଘର ଜଳି ଯାଇଛି ।ସ୍ତ୍ରୀ ସନ୍ଧ୍ୟା ଦେଉଥିବା ସମୟରେ ହଠାତ ସର୍ଟ ସର୍କିଟ ହୋଇ ନିଆଁ ବାହାରି ଦୋକାନ ସହ ପୁରା ଘରକୁ ବ୍ୟାପି ଯାଇଥିଲା । ତୋଟାଗାଁ ର ସଞ୍ଜୟ ବାରିକ ନିଜ ଘରେ ବିସ୍କୁଟ ମିକ୍ସଚର ,ଥଣ୍ଡା ପାନୀୟ ସହ ପେଟ୍ରୋଲ ବିକ୍ରି କରୁଥିଲେ।ସର୍ଟ ସର୍କିଟ ରୁ ନିଆଁ ଲାଗି ସଙ୍ଗେ ସଙ୍ଗେ ଚାରିଆଡେ ବ୍ୟାପି ଯାଇଥିଲା । ନିଆଁ ଲାଗି ଦୋକାନ ରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଘରର ସମସ୍ତ ଆସବାବପତ୍ର ଜଳି ଯାଇଛି । ଖବର ପାଇ ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ତେବେ ନିଆଁ ରେ ପୋଡି ହୋଇ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି । ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷ ନିରଞ୍ଜନ ବେହେରା ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ଙ୍କୁ ସାନ୍ତ୍ବନା ଦେବା ସହ ପ୍ରଶାସନ ତରଫରୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅଗ୍ନିକାଣ୍ଡ ରେ ସଞ୍ଜୟ ବାରିକ ଙ୍କ ଦୋକାନ ଓ ଘର ସହ ପଡୋଶୀ ୪ ଟି ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।