ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ: ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ଫାଇନାଲରେ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଶାନ୍ତି ୟୁଥ୍ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିବା ୨୧ତମ ସର୍ବଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍ର ୨ୟ ସେମିଫାଇନାଲ ମ୍ୟାଚ୍ରେ ଏନ୍.ଏନ୍.ଏସ୍ କ୍ରିକେଟ ଏକାଡେମୀ ଉତ୍ତର ପ୍ରଦେଶକୁ ହରାଇ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ଫାଇନାଲକୁ ପ୍ରବେଶ କରିଛି । ଏନ୍.ଏନ୍.ଏସ୍ କ୍ରିକେଟ ଏକାଡେମୀ ଉତ୍ତର ପ୍ରଦେଶ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୮ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବିଶାଲ ସୁଶିଲିଂ ୪୬ ଓ ଏମ୍.ଡି ଉମର ୨୬ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଜେ.ଏସ୍ ପ୍ରସାଦ ୫ ଓ ଅଚ୍ୟୁତ୍ ୧ ଉଇକେଟ ନେଇଥିଲେ । ଜବାବରେ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ୧୯ ଓଭରରେ ୩ ଉଇକେଟ ହରାଇ ୧୪୯ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଏମ୍.ୟୁଭାନ ୫୦ ଓ ଏସ୍.ଭେଙ୍କଟ ରାହୁଲ ୪୦ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଏମ୍.ଡି ଉମର ୧ ଓ ନିଶାନ୍ତ ସିଂ ୧ ଉଇକେଟ ନେଇଥିଲେ । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଇଷ୍ଟକୋଷ୍ଟ ରେଲୱେର ଜେ.ଏସ୍ ପ୍ରସାଦଙ୍କୁ ବିବେଚିତ କରାଯାଇଥିଲା । ଅମ୍ପାୟର ଭାବେ ଶାନ୍ତନୁ ରାଉତ, ବିଜୟ ଜେନା, ସ୍କୋରର ଜ୍ୟୋତି ରଞ୍ଜନ ଜେନା, ସସ୍ମିତା ସାହୁ, ଭାଷ୍ୟକାର ସୁରେଶ ସାଣ୍ଡିଲ, ଚିତ୍ତ ରଞ୍ଜନ ନାୟକ, ସୁଶାନ୍ତ ଜେନା, ସେକ୍ ଆଜାରୁଦ୍ଦିନ୍, ସଞ୍ଜୟ ମଜୁମଦାର ଦାୟୀତ୍ୱ ତୁଲାଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ହାୱଡା ବିଶ୍ୱବିଦ୍ୟାଳୟର ଉପ କୁଳପତି ପ୍ରଫେସର ଦାମୋଦର ମିଶ୍ର, କେନ୍ଦୁଆପଦା ସରପଞ୍ଚ ପ୍ରମୋଦ ଜେନା, ସମାଜସେବୀ ପ୍ରଦୀପ ପଣ୍ଡା, ମଦନ ମୋହନ ମହାନ୍ତି, ଅଭିମନ୍ୟୁ ସେଠୀ, ଇବରାର ଖାନ୍, ହାଟଡିହୀ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ବିଜେଡି ସମ୍ପାଦକ ସୁବାଷ ଦାସ, ଓସିଏ ଟ୍ରେନର ପୂର୍ଣ୍ଣ ଚନ୍ଦ୍ର ଜେନା, କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ ଅତିଥି ଭାବେ ଯୋଗ ଦେଇଥିଲେ । ଆସନ୍ତାକାଲିର ଫାଇନାଲ ମ୍ୟାଚ୍ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ଓ ରାଇଜିଂ ଷ୍ଟୁଡେଣ୍ଟ କଟକ ମଧ୍ୟରେ ଅନୁଷ୍ଠିତ ହେବ ।


