ସର୍ବଭାରତୀୟ ମେଡିକାଲ ସଂଘର ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ପୁରୀ (ଯୁଗାଦ୍ଧ ନ୍ୟୁଜ): ପୁରୀରେ ଶନିବାରଠାରୁ ଦୁଇଦିନିଆ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ସମ୍ମିଳନୀ ଉଦ୍ଘାଟିତ୍ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାର ଡାକ୍ତର ଯୋଗ ଦେଇଛନ୍ତି । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା କିଭଳି ସାଧାରଣ ଲୋକଙ୍କୁ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯିବ । କେନ୍ଦ୍ର ବଜେଟ୍ରେ ସ୍ୱାସ୍ଥ୍ୟ ଅନୁଦାନ ପାଇଁ ଜେଡିପିର ୨.୫ ପ୍ରତିଶତ ବୃଦ୍ଧି ହୋଇଥିଲା ବେଳେ ଆଗାମୀ ୫ବର୍ଷ ଭିତରେ ତାହାକୁ ୫ ପ୍ରତିଶତ କରିବାକୁ ଦାବି କରାଯିବ । କେନ୍ଦ୍ର ସରକାର ଆୟୁଷ୍କାନ ଯୋଜନାରେ ସାଧାରଣ ଲୋକଙ୍କ ପାଇଁ ଚିକିତ୍ସା ପାଇଁ ଅର୍ଥ ଯୋଜନା କରିଛନ୍ତି । ହେଲେ ସେହି ଅର୍ଥ ସିଧାସଳଖ ମେଡିକାଲକୁ ଆସିଲେ ସେଥିରେ ରୋଗୀଙ୍କ ଚିକିତ୍ସା କରିବା ସହିତ ମେଡିକାଲର ଭିତ୍ତିଭୂମି ମଧ୍ୟ ଉନ୍ନତି ହୋଇପାରିବ । ତେଣୁ ପ୍ରଥମେ ଗ୍ରାମାଞ୍ଚଳ ମେଡିକାଲଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ମେଡିକାଲକୁ ଏଥିରେ ସାମିଲ କଲେ ମେଡିକାଲର ଭିତ୍ତିଭୂମି ଉନ୍ନତି ହେବା ସହିତ ସ୍ୱାସ୍ଥ୍ୟସେବାର ଉନ୍ନତି ଘଟିବ ବୋଲି ସଂଘ ଆଶାପ୍ରକଟ କରିଛି । ଏନେଇ ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ପ୍ରସ୍ତାବ ରହିଛି । ସେହିପରି ଦେଶରେ ବିଭିନ୍ନ ଘରୋଇ ମେଡିକାଲ କଲେଜରେ ପାଠ ପଢିବା ପାଇଁ ବ୍ୟବସାୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଅଧ୍ୟକ୍ଷ ଶାନ୍ତୁନ୍ ସେନ୍ । ଏହି ସମ୍ମିଳନୀ ଆସନ୍ତାକାଲି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ କୁହଯାଇଛି ।