ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ ଓଡ଼ିଶା ପ୍ରାର୍ଥୀଙ୍କ ପିତାମାତାଙ୍କୁ ରାଜଭବନରେ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ମାତା ପିତାଙ୍କୁ ଈଶ୍ୱର ଏକ ମହତ୍ ଉଦ୍ଦେଶ୍ୟ ଓ କାର୍ଯ୍ୟ ସମର୍ପିଛନ୍ତି । ଏବଂ ସ୍ୱର୍ଗୀୟ ଭାବନାରେ ସିକ୍ତ ହୋଇ ଦିବ୍ୟ ଅନୁଭୂତିର ସେବାରେ ସେମାନଙ୍କୁ ନିୟୋଜିତ କରିଛନ୍ତି । ନିଜର ସନ୍ତାନମାନଙ୍କ ମଧ୍ୟରେ ଦିବ୍ୟ ଅନୁଭୂତି ଓ ଭାବନା ସୃଷ୍ଟି ସହ ସଠିକ୍ ଲାଳନପାଳନ ଦ୍ୱାରା ଜଗତକୁ ଏକ ଦିବ୍ୟ ଭୂମିରେ ପରିଣତ କରିବାକୁ ମାତାପିତା ସର୍ବଦା ଚେଷ୍ଟିତ ଥାଆନ୍ତି ଓ ଏହି କାର୍ଯ୍ୟ ଓ ତ୍ୟାଗର ତୁଳନା ନାହିଁ କିମ୍ବା ସେମାଙ୍କର କେହି ବିକଳ୍ପ ହୋଇ ପାରିବେ ନାହିଁ । ତେଣୁ ପ୍ରତ୍ୟେକ ମାତାପିତା ଏପରି ଗୁରୁ ଦାୟିତ୍ୱ ନିର୍ବାହ କରୁଥିବାରୁ ସେମାନଙ୍କ ସ୍ଥାନ ସର୍ବଦା ଶୀର୍ଷରେ ଓ ସେମାନେ ସର୍ବଦା ବନ୍ଦନୀୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ।ରାଜଭବନର ଅଭିଷେକ ହଲଠାରେ ଆଜି ରାଜ୍ୟପାଳଙ୍କ ପରିକଳ୍ପନାକୁ ନେଇ ସର୍ବସାଧାରଣଙ୍କ ସହିତ ଆତ୍ମିକ ସଂଯୋଗ ଲକ୍ଷ୍ୟରେ ସର୍ବଭାରତୀୟ ସିଭିଲ ସର୍ଭିସ ଏବଂ ସର୍ବଭାରତୀୟ ବନ ସେବାରେ ସଫଳ ହୋଇଥିବା ଓଡ଼ିଶାର ପ୍ରାର୍ଥୀମାନଙ୍କ ମାତାପିତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଉଦ୍ଦେଶ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏହା କହିଛନ୍ତି । ମାତାପିତାଙ୍କର ଆଶୀର୍ବାଦ ସନ୍ତାନକୁ ଜୀବନରେ ସଫଳ କରାଇଥାଏ ଏବଂ ସନ୍ତାନର ସଫଳତା ଓ ଖୁସି ସେମାନଙ୍କ ପାଇଁ ସର୍ବସ୍ୱ ବୋଲି ସେ କହିଛନ୍ତି । ସଫଳ ପ୍ରାର୍ଥୀମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ସେମାନେ ସର୍ବଦା ଭାରତର ସମ୍ବିଧାନର ରକ୍ଷକ ବୋଲି ସ୍ମରଣ ରଖି କାର୍ଯ୍ୟ କରିବେ ଓ କେହି ଯେପରି ନିଜର ଅଧିକାରରୁ କିମ୍ବା ନ୍ୟାୟରୁ ବଂଚିତ ନ ହୁଏ ତାହା ସୁନିଶ୍ଚିତ କରିବାକୁ କହିଥିଲେ । ଦେଶରେ ସୁଶାସନର ଦାୟିତ୍ୱ ସେମାନଙ୍କ ଉପରେ । ସେଥିପାଇଁ ନିଜର ଆଚରଣ ଓ କାର୍ଯ୍ୟକୁ ଅନୁରୂପ କରି ଜନସାଧାରଣ ଯେପରି ସୁଶାସନର ସୁଫଳ ପାଇପାରିବେ ସେଥିପ୍ରତି ପ୍ରାଥମିକତା ଦେବାକୁ ସେମାନଙ୍କୁ ରାଜ୍ୟପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳଙ୍କ ସଚିବ ଡ଼ାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସଫଳ ପ୍ରାର୍ଥୀମାନଙ୍କୁ ସର୍ବଦା ସତ୍ୟର ପଥକୁ ଆପଣାଇ ଜନସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବାକୁ କହିଥିଲେ ଓ ଭବିଷ୍ୟତ ପାଇଁ ସଫଳତା କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରଶାସନିକ ସେବାରେ ଉର୍ତୀଣ୍ଣ ପା ଜଣ ସଫଳ ପ୍ରାର୍ଥୀଙ୍କ ମାତାପିତାଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ଓ ସେହିପରି ଭାରତୀୟ ପୁଲିସ ସେବାର ଦୁଇଜଣ ଓ ଭାରତୀୟ ବନ ସେବାରେ ଦୁଇଜଣ ସଫଳ ପ୍ରାର୍ଥୀଙ୍କ ମାତା ପିତା ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ । ରାଜ୍ୟପାଳ ସେମାନଙ୍କୁ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ସଙ୍ଗେ ଭାବର ଆଦାନ ପ୍ରଦାନ କରିଥିଲେ । ଏପରି ଏକ ଉପଯୋଗୀ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେମାନେ ରାଜ୍ୟପାଳଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ ।ଭାରତୀୟ ପ୍ରଶାସନିକ ସେବାର ସିମି କରଣ ଓ ବିଭୂତି ଭୂଷଣ ନାୟକ ଉତ୍ସବରେ ପିତାମାତାଙ୍କ ସହ ଯୋଗ ଦେଇଥିବା ବେଳେ ଭାରତୀୟ ପ୍ରଶାସନିକ ସେବାର ସଂଜିତା ମହାପାତ୍ର, କୁମାର ବିଶ୍ୱରଂଜନ, ବେଦଭୂଷଣ, ଭାରତୀୟ ପୋଲିସ୍ ସେବାର ସମୀର କୁମାର ଜେନା ଓ ରାହୁଲ ଗୋଏଲ ଏବଂ ଭାରତୀୟ ବନ ସେବାର ସୁମିତ କୁମାର କର ଓ ଅନୁରାଗ ମିଶ୍ରଙ୍କ ପିତାମାତା ଓ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ