ସର୍ବମୟ
ଜଗତ ତୁମର
ତୁମେ ଜଗତର
ଜଗନ୍ନାଥ ସ୍ଥମ୍ଭକାର,
ସାରା ଜଗତର
ଯେତେକ ଖବର
ତୁମେ ତାର ପତ୍ରକାର ।
ପ୍ରତିଟି ଅକ୍ଷରେ
ପ୍ରତିଟି ଶଦ୍ଦରେ
ବାକ୍ଯ ହୋଇ ତୁମେ ଆସ,
ଲେଖୁ ଲେଖୁ କେବେ
ଅବସ ଲାଗିଲେ
କମା, ପୂର୍ଣ୍ଣଛେଦେ ବସ ।
କେବେ ହର୍ସବର୍ଣ୍ଣ
କେବେ ଦୀର୍ଘବର୍ଣ୍ଣ
ବର୍ଣ୍ଣମାଳା ରୂପ ନିଅ,
ସବୁରି ବର୍ଣ୍ଣରୁ
ସବୁରି କଣ୍ଠରୁ
ଶବ୍ଦବର୍ଣ୍ଣେ ଝରୁଥାଅ ।
କେତେ ଗଦ୍ୟରୂପ
କେତେ ପଦ୍ୟରୂପ
ସ୍ବରରେ ଅମୃତ ଝର,
ସେ ଝର ସ୍ରୋତରେ
ବିନ୍ଦୁ ହୋଇ ଧାଉଁ
ମିଶିବୁ ତୁମେ ସାଗର ।
ହସରେ କାନ୍ଦରେ
ଲୁହରେ କୋହରେ
ଭାବ ଭକତିର ଛନ୍ଦେ,
ତୁମେ ନୃତ୍ଯକର
ତୁମେ ଚିତ୍ରକର
ଆମକୁ ପକାଅ ଦ୍ବନ୍ଦେ ।
ଅଣୁ ପରମାଣୁ
ସବୁ ତୁମ ରୂପ
ସୃଷ୍ଟି ସ୍ଥିତି ଓ ପ୍ରଳୟ,
ତୁମକୁ ଛାଡିଲେ
କାହାକୁ ଧରିବୁ
କୁହ ଆହେ ଦୟାମୟ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ