ସର୍ବସାଧାରଣ ସ୍ଥାନରେ ଚାଲିଛି ବେଧଡ଼କ କାରବାର : ସରକାରୀ କାର୍ଯ୍ୟାନୁଷ୍ଠାନ ଶୁନ୍‌

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ)  : ବାଟବଣା ହେଉଛି ଧୂମପାନ ନିଷିଦ୍ଧ ଆଇନ । ଠିକ୍ ଭାବରେ କାମ କରୁନି ଏହି ଆଇନ । ସରକାରୀ ଦପ୍ତରରେ ଏହା ପ୍ରହସନ ପାଲଟିଛି । ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷିଦ୍ଧ ହୋଇଥିବା ବେଳେ ସରକାରୀ ବାବୁ ମାନେ ଏହି ନିୟମକୁ ଫାଙ୍କୁଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଲା ପରେ ବି ଫଳ ଶୁନ୍ୟ । ଧୂମପାନ ଯୋଗୁଁ କର୍କଟ, ପକ୍ଷଘାତ, ହୃଦରୋଗ ଭଳି ଅନେକ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ଧୂମପାନରୁ ନିର୍ଗତ ଧୁଆଁ ସୁସ୍ଥ ଲୋକଙ୍କ ଶରୀରରେ ପ୍ରବେଶ ମାତ୍ରେ ସେମାନେ ବିଭିନ୍ନ ରୋଗରେ ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନ ଯଥା ସରକାରୀ, ବେସରକାରୀ ସାର୍ବଜନୀନ ସ୍ଥାନରେ ଧୂମପାନକୁ ନିଷେଧ କରଯାଇଛି ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ମଇ ୩ ତାରିଖକୁ ଧୂମପାନ ନିଷେଧ ଦିବସ ଭାବେ ପାଳନ କରାଯାଉଛି । ୨୦୦୭ ମସିହା ଅକ୍ଟୋବର ୨ ତାରିଖ  ଠାରୁ ସର୍ବସାଧାରଣ ସ୍ଥାନରେ ଧୂମପାନ ନିଷିଦ୍ଧ ଆଇନ ସାରାଦେଶରେ ବଳବତ୍ତର ରହିଛି । ଏହା ପ୍ରଣୟନ ହୋଇ ୧୫ ବର୍ଷ ପୁରିବାକୁ  ଲାଗିଲାଣି, କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ଏହି ଆଇନ ପ୍ରଣୟନ କରାଯାଇଥିଲା ତାହା ଫଳପ୍ରଦ ହୋଇ ପାରୁନାହିଁ । ସଂଶୋଧିତ ଆଇନ ଅନୁଯାୟୀ ସିଗାରେଟ କିମ୍ବା ତମାଖୁ ଜାତ ଦ୍ରବ୍ୟର ପ୍ୟାକେଟ ଉପରେ ସ୍ୱାସ୍ଥ୍ୟ ସଚେତନତା ବାଧ୍ୟତାମୂଳକ ହୋଇଛି । ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସିଗାରେଟ ବିକ୍ରି ତଥା କିଣିବା ଉପରେ କଟକଣା ଲାଗୁ ହୋଇଛି । କିନ୍ତୁ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଏହା ଖୁଲୁମଖୁଲା ଉଲଙ୍ଘନ ହେବାର ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ମଧ୍ୟରେ ରହିଛି ଗୋଟିଏ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ, ୨ଟି ବୈଷୟିକ ଶିକ୍ଷାନୁଷ୍ଠାନ, ୨ଟି ଉଚ୍ଚ ବିଦ୍ୟାଳୟ, ୭ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ୧୦ ରୁ ଉର୍ଦ୍ଧ୍ୱ ବେସରକାରୀ ଓଡ଼ିଆ ଓ ଇଁରାଜୀ ମାଧ୍ୟମ ବିଦ୍ୟାଳୟ । ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ମଧ୍ୟ ଏହି ନିୟମର ଉଲଙ୍ଘନ ହେଉଥିବାର ଦେଖିବାକୁ ମିଳୁଛି । ସର୍ବସାଧାରଣ ସ୍ଥାନରେ ସିଗାରେଟ ଟାଣିଲେ ୨ ଶହ ଟଙ୍କା ଜୋରିମାନା ଦେବାର ପ୍ରାବଧାନ ରହିଛି । କିନ୍ତୁ ହିଞ୍ଜିଳିକାଟୁ ପୌରାଞ୍ଚଳ କିମ୍ବା ନିକଟବର୍ତ୍ତୀ  ଅଞ୍ଚଳରେ ଏହି ଆଇନ ଅନ୍ତର୍ଗତ କେହି ଦଣ୍ଡିତ ହେବାର ନଜରକୁ ଆସିପାରିନି । ଅନ୍ୟପକ୍ଷରେ କିଛି ସରକାରୀ କାର୍ଯ୍ୟାଳୟରେ ଏହି ନିୟମକୁ କଡ଼ାକଡ଼ି କରିବା ପାଇଁ ଧୂମପାନ ନିଷିଦ୍ଧାଞ୍ଚଳ ହୋଇଥିବା ନେଇ ବଡ଼ବଡ଼ ଅକ୍ଷରରେ ଲେଖାଯାଇ ଅବଗତ କରାଯାଉଛି । କିନ୍ତୁ ଏହାର କୌଣସି ପ୍ରଭାବ ନଥିବା ଜଣାପଡ଼ୁଛି । ସରକାରୀ କାର୍ଯ୍ୟାଳୟ ଫାଟକ ବାହାରେ ଗଢି ଉଠିଥିବା ଚା’ ଦୋକାନ ଏହାର ଏକ ନଗ୍ନ ଉଦାହରଣ । ଏହି ଚା’ ଦୋକାନରେ ସରକାରୀ ବାବୁଙ୍କ ସହ ସାଧାରଣ ଲୋକଙ୍କ ସମାଗମ ହୋଇଥିବା ବେଳେ ଏଠାରେ ଖୁଲମଖୁଲା ଧୂମପାନ ନିଷିଦ୍ଧ ଆଇନର ଊଲଙ୍ଘନ କରାଯାଉଥିବାର ଦେଖିବାକୁ ମିଳୁଛି । ଡ଼ାକ୍ତରଖାନା ପରିସର, ସରକାରୀ କାର୍ଯ୍ୟାଳୟ, କୋର୍ଟ ପରିସର, ହୋଟେଲ.ପ୍ରେକ୍ଷାଳୟ, ବସଷ୍ଟାଣ୍ଡ ଭଳି ସର୍ବସାଧାରଣ ସ୍ଥାନକୁ ଧୂମପାନ ସୁରକ୍ଷିତ କରାଯାଇ ପାରିନାହିଁ । ସାଧାରଣ ଜନତାଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି ପାଇଁ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ଏହା କେବଳ କାଗଜ କଲମରେ ସିମୀତ ରହିଯାଉଛି ଏବଂ ଧୂମପାନ ନିଷିଦ୍ଧ ଦିବସ ପାଳନ ଉପରେ ପର୍ଯ୍ୟବେସିତ ରହୁଛି । ତେଣୁ ଏହାର ସଠିକ୍  ପ୍ରଭାବ ଜନତାଙ୍କ  ଉପରେ ପଡ଼ି ପାରୁନାହିଁ । ତେବେ ପ୍ରଶାସନିକ କଳର ଦୃଢ ମନବଳ ରହିଥିଲେ ଧୂମପାନକୁ ନିଷିଦ୍ଧ କରାଯାଇ ପାରନ୍ତା ବୋଲି ହିଞ୍ଜିିଳିକାଟୁ ଅଞ୍ଚଳର ବହୁ ବୁଦ୍ଧିଜୀବି ମତପୋଷଣ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ