ସର୍ବ ଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇଲା ନିଖିଳ ଓଡ଼ିଶା ପେଟ୍ରୋଲ ଏବଂ ଡ଼ିଜେଲ ପମ୍ପ ୱାର୍କରସ୍ ୟୁନିୟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର, କୃଷକ ବିରୋଧୀ କୃଷି ଆଇନର ପ୍ରତ୍ୟାହର, ଦରଦାମ ନିୟନ୍ତ୍ରଣ ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବା, ସଂଖ୍ୟାଲଘୁ ଓ ଦଳିତମାନଙ୍କ ମଧ୍ୟରେ ନିର୍ଯ୍ୟାତନା ବନ୍ଦ, ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆଦି ଦାବିରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ଆସନ୍ତା ୨୭ ସେପ୍ଟେମ୍ବର ସାଧାରଣ ଧର୍ମଘଟକୁ ସମର୍ଥନ ଜଣାଇ ସାମିଲ ହୋଇଛି ନିଖିଳ ଓଡ଼ିଶା ପେଟ୍ରୋଲ ଏବଂ ଡ଼ିଜେଲ ପମ୍ପ ୱାର୍କରସ୍ ୟୁନିୟନ । ଦେଶର କୋଟି କୋଟି ଶ୍ରମିକଙ୍କ ଆନ୍ଦୋଳନ ମାଧ୍ୟମରେ ଅର୍ଜିତ ଆଇନଗତ ଅଧିକାରକୁ ଲୋପ କରି କ୍ରୀତଦାସରେ ପରିଣତ କରିବାକୁ ଉଦ୍ୟମ ହୋଇଛି । ୪୦ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ କୋଡରେ ପରିଣତ କରିବା ଯୋଗୁ ଦେଶର ୯୦ ଶତାଂଶ ଶ୍ରମିକ ଆଇନଗତ ସୁରକ୍ଷା ଓ ଅଧିକାରରୁ ବଞ୍ôଚତ ହେବେ । ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ମୁନାଫା ବଢାଇବା ସହିତ ଶ୍ରମିକମାନଙ୍କ ଅଧିକାରକୁ ଲୋପ କରିବା ହେଉଛି ଏହି ଲେବର କୋଡ଼ର ଲକ୍ଷ୍ୟ । ଦେଶବାସୀଙ୍କ ଟିକସ ଅର୍ଥରେ ଗଢି ଉଠିଥିବା ସମସ୍ତ ରାଷ୍ଟ୍ରୀୟ ଉଦ୍ୟୋଗ, ବ୍ୟାଙ୍କ, ବୀମା, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ, କୋଇଲାଖଣି, ବିଦ୍ୟୁତ୍‌, ତୈଳ, ପୋତାଶ୍ରୟ ଓ ବିମାନ ବନ୍ଦର ଆଦିକୁ ଘରୋଇ ଶିଳ୍ପପତିମାନଙ୍କୁ ବିକ୍ରି କରାଚାଲିଛି । ବିଗତ ୬୦ ବର୍ଷ ଧରି ଗଢି ଉଠିଥିବା ରାଷ୍ଟ୍ରୀୟ ଅର୍ଥନୀତିକୁ ମାତ୍ର ୭ ବର୍ଷରେ ଲୋପ କରିଦେଇଛି ବିଜେପି ସରକାର । ଯୋଜନା କମିଶନକୁ ଭାଙ୍ଗି ନୀତି ଆୟୋଗ ଗଠନ କରି ରାଷ୍ଟ୍ରୀୟ ଉଦ୍ୟୋଗର ବିଲୋପ ପାଇଁ ଜଘନ୍ୟ ପରିକଳ୍ପନା କରିଛି ମୋଦି ସରକାର । କେନ୍ଦ୍ର ସରକାରଙ୍କ ଏହିସବୁ ଶ୍ରମିକ ମାରଣନୀତିକୁ ପେଟ୍ରୋଲ ଓ ଡ଼ିଜେଲ ୱାର୍କରସ୍ ୟୁନିୟନ ପକ୍ଷରୁ ବିରୋଧ କରାଯାଉଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ପେଟ୍ରୋଲ ଡ଼ିଜେଲର ଦରଦାମ କମାଇବା, ପେଟ୍ରୋଲ ଓ ଡ଼ିଜେଲ ପମ୍ପରେ କାର୍ଯ୍ୟରତ ଶ୍ରମିକମାନଙ୍କର ତୈଳ କମ୍ପାନୀ ଓ ମାଲିକମାନେ ମିଶି ଦରମା ବୃଦ୍ଧି କରିବା ଆବଶ୍ୟକ । ଯେଉଁ ଦରମା ଏବେ ଦେଉଛନ୍ତି, ସେ ଦରମାରେ ଶ୍ରମିକମାନେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହେଉନାହିଁ । ଯଥାଶୀଘ୍ର ତୈଳ କମ୍ପାନୀମାନେ ଏଥିପ୍ରତି ଧ୍ୟାନ ଦେଇ ଶ୍ରମିକଙ୍କ ଦରମା ବୃଦ୍ଧି କରନ୍ତୁ ଏବଂ କର୍ମଚାରୀମାନଙ୍କୁ କରୋନା ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ଦାବି ହୋଇଛି । ଆମ ଦେଶରେ ପ୍ରାୟ ଦଶଲକ୍ଷ ଲୋକ ବେରୋଜଗାର, ଶ୍ରମିକମାନେ ପ୍ରତି ମାସରେ ଶ୍ରମ ବଜାରକୁ ପ୍ରବେଶ କରୁଛନ୍ତି । ସେମାନଙ୍କୁ ନିଯୁକ୍ତି ବା ରୋଜଗାର ଦେବାକୁ ଏ ସରକାର ପ୍ରତ୍ୟାଖ୍ୟାନ କରିଛି । ଏସବୁର ପ୍ରତିବାଦରେ ୨୭ ସେପ୍ଟେମ୍ବରରେ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟରେ ସାମିଲ ହେବ ବୋଲି ପେଟ୍ରୋଲ ଓ ଡ଼ିଜେଲ ୱାର୍କରସ୍ ୟୁନିୟନର ସଭାପତି ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ଶଙ୍କର ମାଝୀ, ଆର୍ତ୍ତବନ୍ଧୁ ସ୍ୱାଇଁ, ପବିତ୍ର ଛାଟୋଇ, ଜିତେନ୍ଦ୍ର ପଣ୍ଡା, ପବିତ୍ର ସାମନ୍ତରାୟ, ବିଜୟ କୁମାର ସାହୁ, ବିଦ୍ୟାଧର ପ୍ରଧାନ, ବାସୁଦେବ ସାହୁ, ନବକିଶୋର ସାହୁ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ