ସର୍ବ ଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇଲା ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର, କୃଷକ ବିରୋଧୀ କୃଷି ଆଇନର ପ୍ରତ୍ୟାହର, ଦରଦାମ ନିୟନ୍ତ୍ରଣ ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବା, ସଂଖ୍ୟାଲଘୁ ଓ ଦଳିତମାନଙ୍କ ମଧ୍ୟରେ ନିର୍ଯ୍ୟାତନା ବନ୍ଦ, ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆଦି ଦାବିରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ଆସନ୍ତା ୨୭ ସେପ୍ଟେମ୍ବର ସାଧାରଣ ଧର୍ମଘଟକୁ ସମର୍ଥନ ଜଣାଇ ସାମିଲ ହୋଇଛି ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ । ଦେଶର କୋଟି କୋଟି ଶ୍ରମିକଙ୍କ ଆନ୍ଦୋଳନ ମାଧ୍ୟମରେ ଅର୍ଜିତ ଆଇନଗତ ଅଧିକାରକୁ ଲୋପ କରି କ୍ରୀତଦାସରେ ପରିଣତ କରିବାକୁ ଉଦ୍ୟମ ହୋଇଛି । ୪୦ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ କୋଡରେ ପରିଣତ କରିବା ଯୋଗୁ ଦେଶର ୯୦ ଶତାଂଶ ଶ୍ରମିକ ଆଇନଗତ ସୁରକ୍ଷା ଓ ଅଧିକାରରୁ ବଞ୍ôଚତ ହେବେ । ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ମୁନାଫା ବଢାଇବା ସହିତ ଶ୍ରମିକମାନଙ୍କ ଅଧିକାରକୁ ଲୋପ କରିବା ହେଉଛି ଏହି ଲେବର କୋଡ଼ର ଲକ୍ଷ୍ୟ । ଦେଶବାସୀଙ୍କ ଟିକସ ଅର୍ଥରେ ଗଢି ଉଠିଥିବା ସମସ୍ତ ରାଷ୍ଟ୍ରୀୟ ଉଦ୍ୟୋଗ, ବ୍ୟାଙ୍କ, ବୀମା, ରେଳବାଇ, ପ୍ରତିରକ୍ଷା ଉତ୍ପାଦନ, କୋଇଲାଖଣି, ବିଦ୍ୟୁତ୍, ତୈଳ, ପୋତାଶ୍ରୟ ଓ ବିମାନ ବନ୍ଦର ଆଦିକୁ ଘରୋଇ ଶିଳ୍ପପତିମାନଙ୍କୁ ବିକ୍ରି କରାଚାଲିଛି । ବିଗତ ୬୦ ବର୍ଷ ଧରି ଗଢି ଉଠିଥିବା ରାଷ୍ଟ୍ରୀୟ ଅର୍ଥନୀତିକୁ ମାତ୍ର ୭ ବର୍ଷରେ ଲୋପ କରିଦେଇଛି ବିଜେପି ସରକାର । ଯୋଜନା କମିଶନକୁ ଭାଙ୍ଗି ନୀତି ଆୟୋଗ ଗଠନ କରି ରାଷ୍ଟ୍ରୀୟ ଉଦ୍ୟୋଗର ବିଲୋପ ପାଇଁ ଜଘନ୍ୟ ପରିକଳ୍ପନା କରିଛି ମୋଦି ସରକାର । କେନ୍ଦ୍ରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ପରୋକ୍ଷରେ ଭାଙ୍ଗିଦେବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଷଡ଼ଯନ୍ତ୍ରକୁ ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ପକ୍ଷରୁ ବିରୋଧ କରାଯାଉଛି । ତତ୍ ସଙ୍ଗେ ସଙ୍ଗେ ଓଡ଼ିଶାର କୋଭିଡ଼-୧୯, ନିର୍ମାଣ ଶ୍ରମିକ ସହାୟତା ରାଶି ପ୍ରାୟ ୪ ଲକ୍ଷ ଶ୍ରମିକ ଏପର୍ଯ୍ୟନ୍ତ ପାଇନାହାଁନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ।
ଆମ ଦେଶରେ ପ୍ରାୟ ଦଶଲକ୍ଷ ଲୋକ ବେରୋଜଗାର, ଶ୍ରମିକମାନେ ପ୍ରତି ମାସରେ ଶ୍ରମ ବଜାରକୁ ପ୍ରବେଶ କରୁଛନ୍ତି । ସେମାନଙ୍କୁ ନିଯୁକ୍ତି ବା ରୋଜଗାର ଦେବାକୁ ଏ ସରକାର ପ୍ରତ୍ୟାଖ୍ୟାନ କରିଛି । ଏସବୁର ପ୍ରତିବାଦରେ ଫେଡ଼େରେସନ ୨୭ ସେପ୍ଟେମ୍ବରରେ ହେବାକୁ ଥିବା ଦେଶବ୍ୟାପୀ ଧର୍ମଘଟରେ ସାମିଲ ହେବ ବୋଲି ଡ଼େଡ଼େରେସନର ସଭାପତି ସୁରେଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ ପଞ୍ଚାନନ ମହାରଣା, ଭାଗିରଥୀ ସେନାପତି, ପ୍ରଦୀପ ମହାନ୍ତି, ବିରଞ୍ôଚ ନାରାୟଣ ବିଶ୍ୱାଳ, ସୁନିଲ ଗୌଡ଼, ମନୋରଞ୍ଜନ ସାହୁ, ସଞ୍ଜୀବ କୁମାର ମହାନ୍ତି, ଇନ୍ଦ୍ରମଣି ଜେନା, ପରମାନନ୍ଦ ବେହେରା ଓ ମାନସ ଦାସ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।