ସଲମାନଙ୍କୁ ଧମକ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଦବଙ୍ଗ ଖାନ ସଲମାନଙ୍କ ଘର ଉପରକୁ ବୋମା ପକାଇ ଉଡ଼ାଇଦେବା ଲାଗି ମିଳିଛି ଧମକ୍। ଗାଜିଆବାଦର ଜଣେ ୧୬ ବର୍ଷର ନାବାଳକ ଧମକ ଦେଇଥିବା ଜଣାପଡ଼ିଛି। ଏଭଳି ଧମକ୍ପୂର୍ଣ୍ଣ ବାର୍ତ୍ତା ମୁମ୍ବାଇ ପୋଲିସକୁ ମେଲ୍ ଜରିଆରେ ମିଳିଥିଲା। ଦୁଇ ଘଣ୍ଟା ମଧ୍ୟରେ ବୋମାକୁ ଖୋଜି ବାହାର ନ କରାଗଲେ ତାହା ଫାଟି ଯାଇପାରେ ବୋଲି ଉଲ୍ଲେଖ ଥିଲା। କିଛି ଏଭଳି ଇମେଲ ବାନ୍ଦ୍ରା ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ତୁରନ୍ତ ଯାଞ୍ଚରେ ଲାଗି ପଡ଼ିଥିଲା ପୂରା ପୁଲିସ ଟିମ୍। ଗାଜିଆବାଦର ଜଣେ ଯୁବକ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ବୋମା ଥିବା ନେଇ ଦାବି କରିବା ପରେ ପୁଲିସ ସତ କ’ଣ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଯୁବକ କରିଥିବା ଇ-ମେଲରେ ଲେଖାଥିଲା ଯେ, ମୁଁ ମେଲ୍ ପଠାଇବା ସମୟଠାରୁ ଦୁଇ ଘଣ୍ଟା ପରେ ସଲମାନଙ୍କ ଗ୍ୟାଲେକ୍ସି ଆପର୍ଟମେଣ୍ଟରେ ଲାଗିଥିବା ବୋମା ଫୁଟିବ। ରୋକି ପାରିବ ଯଦି ରୋକି ଦେଖାଅ। ତେବେ ମିଳିଥିବା ସୂଚନା ମୁତାବକ, ଏଭଳି ଇ-ମେଲ ମୁମ୍ବାଇ ପୋଲିସକୁ ଡିସେମ୍ବର ୪ରେ ମିଳିଥିଲାି। ଏଭଳି ସୂଚନା ପାଇବା ପରେ ବୋମା ଅନୁସନ୍ଧାନକାରୀ ଓ ଡିସ୍ପୋଜାଲ ସ୍କ୍ବାଡ଼ ସହ ପୁଲିସ ସଲମାନଙ୍କ ଘରେ ପହଞ୍ଚିଥିଲା। ସେ ସମୟରେ ସଲମାନ ଘରେ ନ ଥିଲେ ମଧ୍ୟ ସଲମାନଙ୍କ ପରିବାର ଲୋକଙ୍କ ସହାୟତାରେ ପୁଲିସ ଘରର ଯାଞ୍ଚ ଆରମ୍ଭ କରିଥିଲା। ଦୀର୍ଘ ୪ଘଣ୍ଟା ଧରି ସଲମାନଙ୍କ ଆପାର୍ଟମେଣ୍ଟ ସହ ପୂରା ବିଲଡିଂର ଯାଞ୍ଚ କରାଯିବା ପରେ ଭିତରେ କୌଣସି ବୋମା ନଥିବା ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ମେଲ୍ କରିଥିବା ନାବାଳକ ଜଣଙ୍କ ଫେରାର ହୋଇଯାଇଛନ୍ତି। ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୋଲିସ ନୋଟିସ କରିଛି।