ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବିରେ ଗଣଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା) :ଦେଶର ଜନସଂଖ୍ୟା ବିସ୍ଫୋରଣ ରୋକିବାକୁ ସଶକ୍ତ ଆଇନ ପ୍ରଣୟନ ଦାବିରେ ‘ଜନସଂଖ୍ୟା ସମାଧାନ ଫାଉଣ୍ଡେସନ’ ପକ୍ଷରୁ ବୁଧବାର ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ବିହାରୀ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ମିହିର ପାଣି, କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ ସମୀର ପାତ୍ର, ଅରୁଣ ବେଜ ପ୍ରମୁଖ ଏଥିରେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା ଜନସଂଖ୍ୟା ଆଗାମୀ ଦିନରେ ଦେଶର ପ୍ରତିଟି କ୍ଷେତ୍ର ପାଇଁ ନାନା ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ଦୀର୍ଘଦିନ ଧରି ସଚେତନତା କରାଯିବା ପରେ ଏବେ ନୂତନ ଆଇନ ପ୍ରଣୟନର ସମୟ ଉପନୀତ ହୋଇଛି । ଚୀନ ଭଳି ଭାରତରେ ଜନସଂଖ୍ୟା ବିସ୍ଫୋରଣ ରୋକିବା ପାଇଁ ରାଜ୍ୟ ବିଧାନସଭାଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ନିମନ୍ତେ ସେମାନେ ଦାବି କରିଥିଲେ । ଜିଲ୍ଲା ସଭାପତି ଯତୀନ୍ଦ୍ର କୁମାର ପୁହାଣଙ୍କ ନେତୃତ୍ୱରେ ଆୟୋଜିତ ଗଣଧାରଣାରେ ଜିଲ୍ଲା ମହିଳା ସଭାନେତ୍ରୀ ଶୁଭଶ୍ରୀ ଦାଶ, ଜିଲ୍ଲା ଉପ-ସଭାପତି ସୀତାରାମ ପ୍ରଧାନ, ଜିଲ୍ଲା ଯୁବ ସଭାପତି ବିକାଶ ପାଢ଼ୀ, ରୀନା ପାତ୍ର, ତରୁଲତା ମହାନ୍ତି, ରଶ୍ମିରେଖା ଲେଙ୍କା, ଅଶୋକ ଦାସ ପ୍ରମୁଖ ଯୋଗଦେଇ ଦେଶର ବଢ଼ୁଥିବା ଜନସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏନେଇ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଫାଉଣ୍ଡେସନ ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ