ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଗତ ଫେବୃଆରୀ ମାସରେ ଅବସର ନେଇଥିବାବେଳେ ତାଙ୍କୁ ଆଜି ଶିକ୍ଷା ସଂଯୋଜକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀ ଯୋଗଦେଇ ବିଦାୟୀ ସହ ଶିକ୍ଷାଧିକାରୀଙ୍କ ଜୀବନବ୍ୟାପୀ କାର୍ଯ୍ୟାବଳୀ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଏହା ସହିତ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ସହିତ ଅନ୍ୟାନ୍ୟ ଜୀବନ ଉପଯୋଗୀ ସାମଗ୍ରୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବିଓ ପୁରୁଷୋତ୍ତମ ଧଳ, ଅକ୍ଷୟ କୁମାର ଜେନା, ଶିକ୍ଷା ସଂଯୋଜକ ପୁଷ୍ପକ ଭାରତୀ, ଦିଲ୍ଲିପ ଓଝା, ଗୌରାଙ୍ଗ ନାଥ, କୈଳାସ ଚନ୍ଦ୍ର ସାମଲ, ଝୁନାରାଣୀ ସ୍ୱାଇଁ, ବାସୁଦେବ ମହାପାତ୍ର, ଚକ୍ରଧର ଜେନା, ବିନୋଦ କୁମାର ରାଉତ, ପ୍ରଶାନ୍ତ ଜେନା, ସୁନାକର ଧଳ, କମଳା ଜେନା ପ୍ରମୁଖ ବିଭିନ୍ନ ବକ୍ତବ୍ୟ ଦେଇଥିଲେ । ଉମାକାନ୍ତ ସାହୁ ସ୍ୱାଗତଭାଷଣ ଦେଇଥିବାବେଳେ ଭାଗବତ ରାଉତ ଅତିଥିପରିଚୟ ପ୍ରଦାନ ଓ ଅଶୋକ କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।


