ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଓ ସମିତି ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମିତିର ନିର୍ବାଚିତ ନିର୍ଦେଶକମାନେ ଗଣଧାରଣାରେ ଦେଇଥିଲେ । ଅଭିଯୋଗ ଅନୁଯାୟୀ ନବନିର୍ବାଚିତ ପରିଚାଳନା ପରିଷଦର ପ୍ରଥମ ବୈଠକରେ ସହକାରୀ ନିବନ୍ଧକଙ୍କ ଉପସ୍ଥିତିରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସମିତିର ସମ୍ପାଦକ କାର୍ଯ୍ୟକାରୀ କରିବାରେ ଅବହେଳା ପ୍ରଦର୍ଶନ କରିବା, ଗତ ୧୯.୧୦.୨୦୨୨ରିଖରେ ଅନୁଷ୍ଠିତ ସମିତିର ଦ୍ୱିତୀୟ ବୈଠକରେ ସମ୍ପାଦକ ପୂର୍ବ ବୈଠକର ବିବରଣୀକୁ ପାଠ ନକରି ଏପରି କିଛି ବ୍ୟବସ୍ଥା ନଥିବା କହିବା, ସଭା ବିବରଣୀର ନକଲ ନିର୍ଦେଶକମାନଙ୍କୁ ପ୍ରଦାନ ନକରିବା, ପରିଚାଳନା ପରିଷଦର ବିନା ସୁପାରିଶରେ ସମିତିର କୈାଣସି ସଭ୍ୟଙ୍କୁ ଋଣ ମଞ୍ଜୁର କରାଯିବା, ପରିଚାଳନା ପରିଷଦର ବିନା ପରାମର୍ଶରେ ସମ୍ପାଦକ ଆୟ-ବ୍ୟୟ କରିବା, ସମିତିର ସାର, ବିହନ, କୀଟନାଶକ ପ୍ରଭୃତି ଦ୍ରବ୍ୟ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ମୂଲ୍ୟରେ ବିକ୍ରୀ କରିବା ଓ ସମ୍ପାଦକଙ୍କ ଦୀର୍ଘଦିନର ଅନୈତିକ ଆର୍ଥିକ କାରବାର ସମିତିକୁ ଘୋର ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଥିବା ପ୍ରଭୃତି ଅଭିଯୋଗ ରହିଛି । ସମିତି ପରିଚାଳନା ପରିଷଦର ନିର୍ବାଚିତ ନିର୍ଦେଶକ ଭାବରେ ସମିତିର ହାନୀ ଲାଭ ବିଷୟରେ ଚିନ୍ତା କରିବା ଓ ଏଥି ନିମନ୍ତେ ସମାଧାନର ବାଟ ବାହାର କରିବା ସେମାନଙ୍କ ନୈତିକ ଦାୟୀତ୍ୱ ହୋଇଥିବାରୁ ସମବାୟ ସମିତିର ଧାରା ୬୫ ଅନୁଯାୟୀ ଗତ ୨୦୦୬ମସିହା ଠାରୁ ଏଯାବତ ବଗଡା ପ୍ରାଥମିକ କୃଷି ସମବାୟ ସମିତିର ସମସ୍ତ ଆର୍ଥିକ କାରବାରର ଏକ ସ୍ୱତନ୍ତ୍ର ସମୀକ୍ଷା କରାଯିବାକୁ ଦାବି କରାଯାଇଛି । ସମିତିର ନିର୍ଦେଶକ ପ୍ରତାପ କୁମାର ଜେନା, ଜ୍ଞାନରଞ୍ଜନ ସାହୁ, ପ୍ରମିଳା ସାହୁ, ମାନସରଞ୍ଜନ ପ୍ରଧାନ, ଜୟନ୍ତ କୁମାର ପରିଡା, ଧରଣୀଧର ପାତ୍ର, ସୁରେନ୍ଦ୍ର ମୋହନ ସ୍ୱାଇଁ ପ୍ରମୁଖ ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିରହି ଅଭିଯୋଗର ତଦନ୍ତ ଦାବି କରିଥିଲେ । ଅପରାହ୍ନ ସାଢେ ଗୋଟାଏ ସମୟରେ ସହକାରୀ ନିବନ୍ଧକ ସନ୍ତୋଷ କୁମାର ଦାସ ଏବଂ ଉପ ସହକାରୀ ନିବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ ଧାରଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କୁ ବୁଝାଶୁଝା କରିବା ସହିତ ଆସନ୍ତା ୨୩ତାରିଖରେ ସମିତିର ଏକ ବୈଠକ ଡକାଇ ସେହି ବୈଠକରେ ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେବାରେ ଧାରଣାରତ ନିର୍ଦେଶକମାନେ ସେମାନଙ୍କ ଗଣଧାରଣାକୁ ପ୍ରତ୍ୟାହୃତ କରିନେଇଥିଲେ ।