ସହରରେ ତାପମାତ୍ରା ୪୧ଂ : ଜନଜୀବନ ଅସ୍ତବ୍ୟସ୍ତ୍ୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ କିଛି ଦିନ ଧରି ସହରରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ମଙ୍ଗଳବାର ହିଞ୍ଜିଳିକାଟୁ ସହରର ତାପମାତ୍ରା ୪୧ଂ ରହିଛି । ସକାଳ ୮ଟା ଠାରୁ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି । ସକାଳ ୧୧ ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ହନ୍ତସନ୍ତ କରୁଛି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୪ର୍ଥ ପର୍ଯ୍ୟାୟ ଲକଡ଼ାଉନ ଅବଧି ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଲଶଗୁ କରାଯାଇଛଇ । ଲକଡ଼ାଉନ ପାଇଁ ଲୋକେ ଘରୁ ଅତ୍ୟାବଶ୍ୟକ ନଥିଲେ ବାହାରକୁ ବାହାରୁନଥିବା ବେଳେ ବର୍ତମାନ ଟାଣ ଖରା ଓ ଝାଞ୍ଜି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ରାତ୍ର ସମୟରେ ବି ସହରର ତାପମାତ୍ର ୨୫ରୁ ୨୭ଂ ପର୍ଯ୍ୟନ୍ତ ରହୁଛି । ତାପମାତ୍ରା କମିବାର ନାଁ ଧରୁନି । ଏଭଳି ସ୍ଥିତିରେ ବିଦ୍ୟୁତ୍ ବିଭାଗର ଅଘୋଷିତ ବିଜୁଳି କାଟ ଲୋକଙ୍କୁ ଅଧିକ ଯନ୍ତ୍ରଣା ଦେଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ସରକାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସକାଳୁଆ ଘୋଷଣା କରିଛନ୍ତି । ସକାଳୁଆ ଅଫିସ ଚାଲୁଥିବା ଯୋଗୁଁ ଜନସାଧାରଣ ନିଜ ନିଜ କାର୍ଯ୍ୟ ସାରି ଦିନ ୧୧ଟା ସୁଦ୍ଧା ଘରକୁ ଫେରି ଆସୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ଏଯାବତ୍ ଜଳଛତ୍ର ଖୋଲା ଯାଇନାହିଁ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁୂଁ ପାଣି ଟୋପେ ନପାଇ ପଶୁପକ୍ଷୀ ମାନେ ପାଣି ପାଇଁ ଡ଼ହଳ ବିକଳ ହେଉଥିବା ଲକ୍ଷ୍ୟ କରାଯାଉଛି ।


