ସହରରେ ସିଞ୍ଚନ ହେଲା ସାନିଟାଇଜର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି ସହରରେ ସ୍ଥାନୀୟ ପୌର ପରିଷଦର ତତ୍ତ୍ୱାବଧାନରେ ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜର ସିଞ୍ଚନ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବାପାଇଁ ଏବଂ ତାକୁ ପ୍ରତିରୋଧ କରିବାପାଇଁ ରାଜ୍ୟର ବିଭିନ୍ନ ସହରରେ ସାନିଟାଇଜର ସିଞ୍ଚନ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପାରଳାଖେମୁଣ୍ଡି ଠାରେ ମଧ୍ୟ ଏହି କାର୍ଯ୍ୟ ଦ୍ରୁତ ବେଗରେ ଚାଲୁରହିଥିବାର ଦେଖିବାକୁ ମିଳୁଛି । ସହରର ମୁଖ୍ୟ ରାସ୍ତା ବଜାର ଛକ ନିକଟରେ ସାନିଟାଇଜର ସିଞ୍ଚନ କରାଯାଉଥିବା ଦେଖିବାକୁ ମିଳିଛି । ସହରର ସମସ୍ତ ମୁଖ୍ୟ ରାସ୍ତାରେ ସାନିଟାଇଜର କରିବା ସହ ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳରେ ମଧ୍ୟ ଏହିପରି ସାନିଟାଇଜର ସିଞ୍ଚନ କରାଯିବ ବୋଲି ଜଣାପଡିଛି । ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୌର ପରିଷଦ ପକ୍ଷରୁ ଏହି କାର୍ଯ୍ୟ କରାଯାଉଥିବାବେଳେ ଏହି କାର୍ଯ୍ୟକୁ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ତତ୍ତ୍ୱାବଧାନ କରୁଥିବାର ଜଣାପଡିଛି ।


