ସହରାଂଚଳ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ୪ଟି ଜିଲ୍ଲାକୁ ନେଇ କ୍ଲଷ୍ଟର ସମୀକ୍ଷା ବୈଠକ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଉତର ଓଡିଶାର ୪ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦୁଝରର ସହରାଂଚଳ ବିକାଶ ସମ୍ପର୍କରେ ଏକ କ୍ଲଷ୍ଟର ସମୀକ୍ଷା ବୈଠକ ସ୍ଥାନୀୟ ନୋସି ବିଜନେସ୍ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ୪ଟି ଜିଲ୍ଲାର ୧୭ଟି ସହରାଂଚଳରେ ସମ୍ପ୍ରତି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, ଯୋଜନା ଏବଂ ପ୍ରକଳ୍ପ ବାବଦରେ ସମୀକ୍ଷା କରାଯାଇଥିଲା । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ ସହରାଂଚଳଗୁଡିକରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ଲକ୍ଷ୍ୟ ହାସଲ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ଯୋଜନାର ସୁଫଳ ପହଂଚାଇବା ଏବଂ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ କରିବା ହେଉଛି ଅଧିକାରୀମାନଙ୍କ ଦାୟିତ୍ୱ । ଏଥି ପାଇଁ ସେମାନେ ଜନସାଧାରଣଙ୍କ ନିକଟରେ ଉତରଦାୟୀ । ବର୍ତମାନ ଅଧିକାରୀମାନଙ୍କ ନିକଟରେ ସମସ୍ତ ସମ୍ବଳ ରହିଥିବା ବେଳେ ତାହାର ସଦୁପଯୋଗ କରି ସହରାଂଚଳ ବିକାଶ ଏବଂ ଜନସାଧାରଣଙ୍କ ସାମୂହିକ ପ୍ରଗତି ପ୍ରତି ଧ୍ୟାନ ଦେବାକୁ ପ୍ରମୁଖ ଶାସନ ସଚିବ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ବିଫଳ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଥିଲେ । ସ୍ଥାନୀୟ ପୌର ପ୍ରଶାସନ ନିକଟରେ ଆବଶ୍ୟକୀୟ ଦକ୍ଷ ମାନବ ସମ୍ବଳ ନ ଥିଲେ ଅନ୍ୟାନ୍ୟ ବିଭାଗର ଯୋଗ୍ୟ ଅଧିକାରୀଙ୍କୁ ଏ କ୍ଷେତ୍ରରେ ନିୟୋଜିତ କରାଯାଇ ଲକ୍ଷ୍ୟ ହାସଲ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ସେହିପରି ଜାଗା ମିଶନ, ବସ୍ତି ଉନ୍ନତିକରଣ, ବସ୍ତି ବାସିନ୍ଦାଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ୍ ପ୍ରଦାନ, ମିଶନ ଶକ୍ତି ଓ ପରିଚୟ ଗୃହ ନିର୍ମାଣ, ସହରାଂଚଳ ବସ୍ତିଗୁଡିକୁ ଆଦର୍ଶ କଲୋନୀର ପରିଣତ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ, ସମସ୍ତ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏମସିସି ଓ ଏମଆରଏଫ ସ୍ଥାପନ, ଖୋଲା ଜାଗା ଉନ୍ନତିକରଣ ଓ ପାର୍କ ସ୍ଥାପନ ଇତ୍ୟାଦି ଉପରେ ସେ ଜିଲ୍ଲା ଓ ୟୁଏଲବି ୱାରୀ ସମୀକ୍ଷା କରିଥିଲେ । ଏ କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକକୁ ଦୂର କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ସ୍ଥାନୀୟ ଅଧିବାସୀ ଓ ଗୋଷ୍ଠୀଙ୍କ ସହଭାଗିତାରେ ଏହି ସବୁ କାମ କରିବା ଉପରେ ସେ ଜୋର ଦେଇଥିଲେ । ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣ ପତ୍ର ଦାଖଲ, ହୋଲ୍ଡିଂ ଟ୍ୟାକ୍ସ ଓ ୟୁଜର୍ସ ଫି ଆଦାୟ, ପାର୍କିଂ ସୁବିଧା କରିବା, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆଇଏସଓ ସାର୍ଟିଫିକେଟ୍ ହାସଲ ପାଇଁ ଉଦ୍ୟମ କରାଯିବା ସହିତ ସ୍ୱଚ୍ଛ ସର୍ବେକ୍ଷଣର କିଭଳି ସହରାଂଚଳଗୁଡିକ ଉନ୍ନତ ପ୍ରଦର୍ଶନ କରିପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁମାନେ ଉତମ ସେବା ପ୍ରଦର୍ଶନ କରିବେ ସେମାନେ ସରକାରଙ୍କ ଦ୍ୱାରା ପୁରସ୍କୃତ ହେବେ ବୋଲି ସେ ସୂଚାଇ ଦେଇଥିଲେ । ପ୍ରାରମ୍ଭରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସ୍ୱାଗତ ଅଭିଭାଷଣ ରଖିବା ସହିତ ସହରାଂଚଳ ବିକାଶ ଓ ଯୋଜନା ପ୍ରଣୟନ କ୍ଷେତ୍ରରେ ଓଡିଶା ଏବେ ଦେଶରେ ଏକ ମଡେଲ ହୋଇପାରିଥିବା ମତବ୍ୟକ୍ତ କରିଥିଲେ । ପରେ ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ସଂଗ୍ରାମଜିତ୍ ନାୟକ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ନଗର ଉନ୍ନୟନ ବିଭାଗରୁ ଆସିଥିବା ଉପଶାସନ ସଚିବ ଶ୍ରୀ ସାରଦା ପ୍ରସାଦ ପଣ୍ଡା, ଯୁଗ୍ମ ଶାସନ ସଚିବ ଶ୍ରୀ ପ୍ରଭାତ କୁମାର ମହାପାତ୍ର,ଅତିରିକ୍ତ ଶାସନ ସଚିବ ଶ୍ରୀ କଲ୍ୟାଣ କୁମାର ରଥ ପ୍ରମୁଖ ଟ୍ୟାକ୍ସ ଆଦାୟ, ସ୍ୱଚ୍ଛ ସର୍ବେକ୍ଷଣ, ଉନ୍ନତି ଯୋଜନା, ୱେଲଥ୍ ସେଂଟର ପରିଚାଳନା, ଏଲଇଡି ଲାଇଟ୍ ଆଲୋକୀକରଣ ଇତ୍ୟାଦି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ବୈଠକରେ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ପିଡି-ଡୁଡା, ଭଦ୍ରକ ଶ୍ରୀ ମଧୁସୂଦନ ଦାସ, ପିଡି-ଡୁଡା, କେନ୍ଦୁଝର ଶ୍ରୀ ଘାସିରାମ ମୁର୍ମୁ, ପିଡି-ଡୁଡା, ମୟୂରଭଞ୍ଜ ଶ୍ରୀ ଭବେଶ କୁମାର ନାୟକ, ପିଡି-ଡୁଡା, ବାଲେଶ୍ୱର ଶ୍ରୀ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ୪ଟି ଜିଲ୍ଲାର ସମସ୍ତ ସହରାଂଚଳର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।


