ସହରାଞ୍ଚଳରେ ଶ୍ରମଭିତ୍ତିକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟି ଘୋଷଣା
ଭୁବନେଶ୍ୱର: କୋଭିଡ-୧୯ ସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି କରିଛି । ଏହାର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୌରାଞ୍ଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ସହରାଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକାର ପାଇବେ । ଚଳିତ ଅପ୍ରେଲ ମାସରୁ ଆରମ୍ଭ ହୋଇ ଏହା ଆଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ମିଶନ ଶକ୍ତିର ମା’ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବ । ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ । ବର୍ତ୍ତମାନ ଏହି କଷ୍ଟକର ସମୟରେ ରାଜ୍ୟ ସରକାର ସହରାଞ୍ଚଳର ଗରିବ ଲୋକମାନଙ୍କୁ ରୋଜଗାର ଦେବା ପାଇଁ ଅର୍ବାନ ୱେଜ ଏମ୍ପ୍ଲୟମେଣ୍ଟ ଇନସିଏଟିଭ ନାମରେ ଏକ ଜରୁରୀକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ରାଜ୍ୟର ୧୧୪ଟି ପୌରାଞ୍ଚଳ ଗୁଡ଼ିକରେ ରହୁଥିବା ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ ।
ଏହି ଯୋଜନାରେ ସହରାଞ୍ଚଳରେ ଅନେକ ଶ୍ରମଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିରେ ଡ୍ରେନ ଗୁଡ଼ିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡ଼ିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନ ଗୁଡ଼ିକର ଉନ୍ନତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସାମୟିକ କାର୍ଯ୍ୟକ୍ଷେତ୍ର ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ ଓ ସହରାଞ୍ଚଳର ସୌନ୍ଦର୍ଯ୍ୟକରଣ ସହିତ ନିର୍ମାଣ ଅବଶେଷର ନିଷ୍କାସନ ସହିତ ଅନ୍ୟାନ୍ୟ ଶ୍ରମଭିତ୍ତିକ ବିକାଶ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହା ସ୍ଥିତ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ ନିର୍ମାଣ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ।
ଏହି ସମୟ କାର୍ଯ୍ୟକ୍ରମ ସମୟରେ ସାମାଜିକ ଦୂରତ୍ୱ ଓ କୋଭିଡ ମୁକାବିଲା ପାଇଁ ସରକାର ଜାରି କରିଥିବା ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁପାଳନ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯିବ । ଏହି କାର୍ଯ୍ୟକ୍ରମ ଅର୍ଥନୀତିକୁ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।


