ସହରୀ ଜଙ୍ଗଲ ନଗରର ହୃତପିଣ୍ଡ ତଥା ଅମ୍ଳଜାନର ଭଣ୍ଡାର : ପ୍ରକାଶ ଜାଭଡେକର
ନୂଆଦିଲ୍ଲୀ : ଅନେକ ଦିନରୁ ଦେଖାଯାଇଛି ଯେ, ଦିଲ୍ଲୀରେ ବାୟୁର ଗୁଣାତ୍ମକ ମାନ ସୂଚକାଙ୍କ ମଣିଷ ସମାଜର ଚିନ୍ତା ବଢାଇଦେଇଛି । ବିଶେଷକରି ଦିଲ୍ଲୀର ଆଇଟିଓ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଖୁବ ଅଧିକ । ଏସବୁ ଦୃଷ୍ଟିରୁ ସାମାଜିକ ଦାୟିତ୍ଵବୋଧକୁ ବିଚାରକୁ ନେଇ ବାହାଦୂର ଶାହ ଜାଫର ମାର୍ଗସ୍ଥିତ ଭାରତୀୟ ମହାଲେଖା ନିୟନ୍ତ୍ରକ କାର୍ଯ୍ୟାଳୟ ଉଦ୍ୟାନକୁ ସହରୀ ଜଙ୍ଗଲ ଭାବେ ବିକଶିତ କରିବାକୁ ପଦକ୍ଷେପ ନେଇଛନ୍ତି । ସୀମିତ ସ୍ଥାନ ଦୃଷ୍ଟିରୁ ସଘନ ବନୀକରଣ ପାଇଁ ସ୍ଥାନୀୟ ଭାବେ ମିଳୁଥିବା କଞ୍ଚାମାଲର ଉପଯୋଗ କରାଯାଇଛି । ସେହି ଅଞ୍ଚଳରେ ବଢୁଥିବା ଗଛଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ତିନିଥାକିଆ ବିଶିଷ୍ଟ କରାଯାଇ ଏପରି ସ୍ଥାନିତ କରାଯାଇଛି ଯାହାକି ପ୍ରାକୃତିକ ବିପର୍ଯ୍ୟୟ କାଳରେ ମଧ୍ୟ ପରିବେଶର ସୁରକ୍ଷା କରିପାରିବ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସହରୀ ଜଙ୍ଗଲକୁ ଉଦଘାଟନ କରି 59ଟି ଭାରତୀୟ ପ୍ରଜାତିର ୧୨ହଜାର ଚାରା ଦ୍ଵାରା ଏହି ଘଞ୍ଚ ଜଙ୍ଗଲର ସୃଷ୍ଟି ପାଇଁ ସନ୍ତୋଷ ପ୍ରକାଶ କରିଥିଲେ । ସହରୀ ଜଙ୍ଗଲର ଗୁରୁତ୍ଵ ଉପରେ ଆଲୋକପାତ କରି ଏଗୁଡିକ ସହରର ହୃତପିଣ୍ଡ ତଥା ଅମ୍ଳଜାନ ଭଣ୍ଡାର ଭାବେ କାର୍ଯ୍ୟ କରିବା ସହ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ କରିବ । ଏହି ତିନି ଥାକିଆ ମିଆୱାକି ପଦ୍ଧତିରେ ସୃଷ୍ଟ ଜଙ୍ଗଲର ପ୍ରଶଂସା କରି ଏହା ଉତ୍ତାପ ମାତ୍ରା ୧୪ଡିଗ୍ରୀ ହ୍ରାସ କରିବା ସହ ଶତକଡା ୪୦ଭାଗ ପର୍ଯ୍ୟନ୍ତ ଆଦ୍ରତା ହ୍ରାସ କରିବ ବୋଲି କହିଥିଲେ । ମାମୁଲି ଜଳ ସିଞ୍ଚନ ଓ ଘାସ ବଛା ସହ ଏହି ସହରୀ ଜଙ୍ଗଲ ଆସନ୍ତା ବର୍ଷ ଅକ୍ଟୋବର ମାସ ସୁଦ୍ଧା ପରିପୁଷ୍ଟ ହୋଇଯିବ । ଏହି ଜଙ୍ଗଲର ଜୈବମଣ୍ଡଳୀୟ ସ୍ଥିତିରେ ପକ୍ଷୀ, ମହୁମାଛି, ପ୍ରଜାପତି ଓ କ୍ଷୁଦ୍ରାତି କ୍ଷୁଦ୍ର ଜୀବଜନ୍ତୁ ବାସ କରିପାରିବେ । ଏହା ଶସ୍ୟ ଓ ଫଳର ପରାଗସଙ୍ଗମ ସହ ଏକ ସନ୍ତୁଳିତ ଜୈବମଣ୍ଡଳ ସୃଷ୍ଟିରେ ସହାୟତା ହେବ । ଏହା ପ୍ରାୟ ୧ ଏକର ପରିମିତ ଜାଗା ମଧ୍ୟରେ ସୃଷ୍ଟି କରାଯାଇଛି । ଏହି ତିନିଥାକିଆ ଜଙ୍ଗଲରେ ଛୋଟରୁ ମଧ୍ୟମ ଉଚ୍ଚତା ବିଶିଷ୍ଟ ଗଛ, ତୃଣ ଓ ବଡ ଗଛଗୁଡିକୁ ସୁନ୍ଦର ଭାବରେ ସଜା ଯାଇଛି । ଏଥିରେ କେତେକ ସ୍ଥାନୀୟ ଉପଲବ୍ଧ ପଳାସ, କେମ, ଖଜୁରୀ, ହାଲସା ଓ ହରିଡା ଭଳି ଗଛ ମଧ୍ୟ ରହିଛି । ଏଥିରେ ଥିବା ଗଛଗୁଡିକ ଦିଲ୍ଲୀର ମାଟି ଓ ପାଣି ପବନରେ ପରିପୃଷ୍ଟ ହୋଇଥାଏ । ଏହିଭଳି ସହରୀ ଜଙ୍ଗଲ ସୃଷ୍ଟି ଆମର ହୃତ ପରିବେଶ ଜଙ୍ଗଲ ନିରାପତ୍ତାକୁ ଉଜ୍ଜୀବିତ କରିବ । ଏହିପରି ଜଙ୍ଗଲ ସୃଷ୍ଟି ପାଇଁ ପୁଙ୍ଖାନୁପୁଙ୍ଖ ସର୍ଭେ ସ୍ଥାନୀୟ ଭାବେ ଉପଲବ୍ଧ ଗଛ ସୃଷ୍ଟି ପାଇଁ ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପର ପୁନରୁଦ୍ଧାର ଆଜିର ବିରାଟ ଆବଶ୍ୟକତା ଭାବେ ଉଭା ହୋଇଛି । ସିଏଜିଙ୍କ କାର୍ଯ୍ୟାଳୟ, ବିଶେଷ କରି ସହରରେ ପରିବେଶ ସନ୍ତୁଳନ ରକ୍ଷା ପ୍ରତି ଗୁରୁତ୍ଵ ଦେଇଛି । ଏହା ଖୁବ ଛୋଟ ହେଲେ ମଧ୍ୟ ଦିଲ୍ଲୀର ପରିବେଶ ସୁରକ୍ଷା ଦିଗରେ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ସହ ପ୍ରାକୃତିକ ପରିବେଶ ଫେରାଇ ଆଣିବାରେ ଏକ ପ୍ରୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ, ନିକଟରେ ବିଶ୍ଵ ପରିବେଶ ଅବସରରେ ସରକାର ନଗର ବନ ଯୋଜନା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୫ବର୍ଷ ମଧ୍ୟରେ ୨୦୦ ସହରୀ ଜଙ୍ଗଲ ସୃଷ୍ଟି ଏହି ଯୋଜନାର ଲକ୍ଷ୍ୟ ରହିଛି । ଜନସାଧାରଙ୍କ ସହଯୋଗ, ଜଙ୍ଗଲ ବିଭାଗ, ପୌରସଂସ୍ଥା, ସ୍ଵେଚ୍ଛାସେବୀ ସଂଗଠନ, ବାଣିଜ୍ୟିକ ସଂସ୍ଥା ଏବଂ ସ୍ଥାନୀୟ ନାଗରିକଙ୍କ ସହଯୋଗରେ ସହରୀ ଜଙ୍ଗଲ ସୃଷ୍ଟିର ପରିଯୋଜନା କରାଯାଇଛି ।