‘ସହାୟକ’ର ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରମୁଖ ଜନକଲ୍ୟାଣକାରୀ ସେବାସଂସ୍ଥା ‘ସହାୟକ’ର ଆସନ୍ତା ଦୁଇବର୍ଷ ପାଇଁ ନିର୍ବାଚିତ କର୍ମକର୍ତ୍ତାମାନଙ୍କର ଦାୟିତ୍ୱଗ୍ରହଣ ଉତ୍ସବ ଆଜି ପୂର୍ବାହ୍ନରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବନିର୍ବାଚିତ ନୂତନ ସଭାପତି ଡ. କ୍ଷିତୀଶ୍ୱର ଦାଶ ଅଧ୍ୟକ୍ଷତା କରିଥିଲେ ଓ ସମସ୍ତଙ୍କୁ ବେଦମନ୍ତ୍ର ପଢ଼ି ସ୍ୱାଗତ କରିବା ସହିତ ନବନିର୍ବାଚିତ କର୍ମକର୍ତ୍ତା ତଥା ସମସ୍ତ ସଭ୍ୟ/ସଭ୍ୟାଙ୍କ ସହଯୋଗ କାମନା କରିଥିଲେ । ନବନିର୍ବାଚିତ ସାଧାରଣ ସମ୍ପାଦକ ଡ. ଇଂ. ହୃଷିକେଶ ସାହୁ ଦାୟିତ୍ୱ ଗ୍ରହଣ କରି ଗତ ୧୭ବର୍ଷ ଧରି ଏହି ଅନୁଷ୍ଠାନକୁ ପ୍ରତିଷ୍ଠା କରି ସମସ୍ତଙ୍କର ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାରେ ଯେପରି ରୁଦ୍ଧିମନ୍ତ କରିଛନ୍ତି ସେହି ଗୌରବ ଓ ପରମ୍ପରା ରକ୍ଷା କରିବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ, ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ, ରକ୍ତଦାନ ଶିବିର, ଗ୍ରୀଷ୍ମଦିନେ ଜଳବିତରଣ, ଦିବ୍ୟାଙ୍ଗମାନଙ୍କୁ ଅନ୍ନ ତଥା ସହାୟତା ପ୍ରଦାନ ଓ ସର୍ବୋପରି ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମସ୍ତଙ୍କ ସହମତି କ୍ରମେ ପୂର୍ବଭଳି କରାଯିବ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନ ତରଫରୁ ପ୍ରାକ୍ତନ ସଭାପତି ଇଞ୍ଜିନିୟର ସୁରେନ୍ଦ୍ରନାଥ ଦାସ ଓ ସମ୍ପାଦକ ବିଜୟ କୁମାର ଦାସଅଧିକାରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ଓ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ନୂତନ ଭାବେ ହୋଇଥିବା ପୃଷ୍ଠପୋଷକ ସଭ୍ୟ ସର୍ବଶ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଶିଶିର କୁମାର ରଥ, ହରିଶ୍ଚନ୍ଦ୍ର ସାହୁ, ଡକ୍ଟର ପ୍ରଣବ କୁମାର ଦାସ ଓ ସଞ୍ଜିବ କୁମାର ନାୟକଙ୍କୁ ମାନପତ୍ର ଦେଇ ସ୍ୱାଗତ କରାଯାଇଥିଲା । ଉକ୍ତ ସଭାରେ ସର୍ବଶ୍ରୀ ଇଞ୍ଜିନିୟର ବନମାଳୀ ନାୟକ, ଅକ୍ଷୟ କୁମାର ତ୍ରିପାଠୀ, ନିରଞ୍ଜନ ପରିଡ଼ା, ପ୍ରଫୁଲ୍ଲ କୁମାର ଦାସ, ଡକ୍ଟର ତାରାକାନ୍ତ ନନ୍ଦ, ଗୁଣାକାର ଦେ, ବସନ୍ତଲତା ପଟ୍ଟନାୟକ ପ୍ରମୁଖ ତାଙ୍କ ବକ୍ତବ୍ୟରେ ପୂର୍ବ ସଭାପତି ଓ ସମ୍ପାଦକଙ୍କୁ ତାଙ୍କ ସମୟରେ କରିଥିବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ସଂଘର ନୂତନ କର୍ମକର୍ତ୍ତା ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରି ସମସ୍ତଙ୍କ ସହଯୋଗ ପାଇଁ ଅନୁରୋଧ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ଶ୍ରୀରାମଚନ୍ଦ୍ର ଦାଶ, ପ୍ରଣୀତା ମିଶ୍ର, ସେକ୍ ଆଲ୍ଲାଉଦ୍ଦିନ୍, ଦିବାକର ମହାପାତ୍ର, ବସନ୍ତ କୁମାର ନାୟକ, ରମେଶ ଚନ୍ଦ୍ର ଜେନା, ନିରଞ୍ଜନ ପଣ୍ଡା, ସୁରେନ୍ଦ୍ର ପ୍ରସାଦ ଧଳ, ଦାମୋଦର ନାୟକ, ଅକ୍ଷୟ କୁମାର କର, ଗୋପାଳ ଜେନା, ଉମେଶ ଗୋଚ୍ଛାୟତ, ଇଂ. କେଶବ ଚନ୍ଦ୍ର ମହାନ୍ତି, , ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କୋଷାଧ୍ୟକ୍ଷ ଇଞ୍ଜିନିୟର ସୁରେନ୍ଦ୍ରନାଥ ନାୟକ ଅନୁଷ୍ଠାନର ଆୟବ୍ୟୟ ଉପସ୍ଥାପନ କରିଥିଲେ ଏବଂ ତାହା ସର୍ବସମ୍ମତ୍ତିକ୍ରମେ ଅନୁମୋଦିତ ହୋଇଥିଲା । ଶେଷରେ ଉପସଭାନେତ୍ରୀ ସୁଶ୍ରୀ ଅରୁଣା ରାଏ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।