ସହିଦ ବୀର ବାଘାଯତୀନଙ୍କ ବଳିଦାନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):‘ମୁକ୍ତିଯୋଦ୍ଧା ସହିଦ ବାଘାଯତୀନ ଓ ଯୋଗୀ ହରିଗୋଲାମ ଦାସ ସ୍ମୃତି କମିଟି’ପକ୍ଷରୁ ବାଘାଯତୀନଙ୍କ ୧୦୭ତମ ରକ୍ତତୀର୍ଥ ଚଷାଖଣ୍ଡ ଯୁଦ୍ଧ ତଥା ବଳିଦାନ ଦିବସ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କମିଟି ସଭାସଭାପତି ବିଧାନଚନ୍ଦ୍ର ରାୟ ଏଥିରେ ସଭାପତିତ୍ୱ କରିଥିଲେ । ତ୍ରିବେଣୀ ତୀର୍ଥ ଆଶ୍ରମର ମହନ୍ତ ମହାରାଜ ବାବଜୀ ଦୟାନନ୍ଦ ଦାସଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ଅରୁଣ ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ । ‘ଆସ ଆମେ ସହିଦଙ୍କୁ ଜାଣିବା, ଦେଶକୁ ଭଲପାଇବା, ମାଆ, ମାଟି ପାଇଁ କାମ କରିବା’ ଶୀର୍ଷକ ଆଲୋଚନାଚକ୍ରରେ ପୂର୍ବତନ ବିଧାୟକ କିଶୋର ଦାଶ ଯୋଗଦେଇ ବିପ୍ଳବୀ ବୀର ସହିଦ ବାଘାଯତୀନ ଓ ସାଥୀଙ୍କ ଲୋମହର୍ଷଣକାରୀ ଖଣ୍ଡଯୁଦ୍ଧ ସମ୍ପର୍କରେ ଆଲୋକପାତ କରିଥିଲେ । ସେମାନଙ୍କ ସ୍ମୃତିରକ୍ଷା ପାଇଁ ସାମୂହିକ ଉଦ୍ୟମ ପାଇଁ ସେ ଆହ୍ୱାନ ଦେଇଥିଲେ । ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ରାଉତ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସହିଦଙ୍କ ବୀରତ୍ୱର କାହାଣୀ ସହ ଉତ୍ତର ପିଢ଼ିଙ୍କୁ ଅବଗତ କରାଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ, ଶିକ୍ଷାବିତ ଡ. ଭାଗବତ ପ୍ରସାଦ ଦାସ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳୀପଦ ପଣ୍ଡା, ବିପିନ ବିହାରୀ ବାରିକ, କରୁଣାକର ଖଟୁଆ, ଚକ୍ରଧର ଦାସ, ଯୋଗେଶ୍ୱର ପ୍ରଧାନ, ଗଂଗାଧର ଦାସ, ତୁଷାରକାନ୍ତି ମହାପାତ୍ର, ଅମୀୟ ମହାନ୍ତି, ରମେଶ ଚନ୍ଦ୍ର ଜେନା, ରାମଚନ୍ଦ୍ର ସାହୁ, ଅଜୟ ବାରିକ, ସନ୍ତୋଷ ଦାସ, ନିରଞ୍ଜନ ଗିରି, ସୁରଜିତ୍ ପୋଥାଳ, ପଦ୍ମଲୋଚନ ପଣ୍ଡା, ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଘାଯତୀନ୍ ଓ ତାଙ୍କ ସାଥୀଙ୍କ ଚଷାଖଣ୍ଡ ଯୁଦ୍ଧର କାହାଣୀ, ଦେଶପ୍ରେମ ଓ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସଭା ପୂର୍ବରୁ ବାବାଜୀ ଦୟାନନ୍ଦ ଦାସଙ୍କ ପୌରହିତ୍ୟରେ ବୁଢ଼ାବଳଙ୍ଗ ନଦୀତଟ ତ୍ରିବେଣୀଘାଟରେ ବିଧିପୂର୍ବକ ସହିଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା । ସଭା ପ୍ରାରମ୍ଭରେ ବୀର ସହିଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସୁଲତା ସାମଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି କମିଟି ପକ୍ଷରୁ ସକାଳ ୮ଟା ୩୦ରେ କୁଟପୋଖରୀଠାରେ ସ୍ୱର୍ଗତ ହରିଗୋଲାମ ଦାସଙ୍କ ଉଦ୍ଦେଶ୍ୟରେ ମଧ୍ୟ ତିଳତର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ