ସହିଦ ଭଗତ ସିଂଙ୍କ ଶ୍ରାଦ୍ଧାବାର୍ଷିକୀରେ ଏନ୍ୱାଇସିଏସ୍ର ବାଇକ ଶୋଭାଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସହିଦ ଭଗତ ସିଂଙ୍କ ଶ୍ରାଦ୍ଧାବାର୍ଷିକୀରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ ତରଫରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ୱରେ ଲକ୍ଷ୍ମୀସାଗର ଛକରୁ ଖୋଲା ଜିପ୍ରେ ଭଗତ ସିଂ ଓ ତାଙ୍କ ସହଯୋଗୀଙ୍କ ଫଟୋ ଲଗାଯାଇ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରିଥିଲା । ବାଇକ ଶୋଭାଯାତ୍ରାରେ ସହିଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁ ଅମର ରହେ ଧ୍ୱନିରେ ରାଜଧାନୀର ରାଜରାସ୍ତା ପ୍ରକମ୍ପିତ ହୋଇଥିଲା ।ଲୋୟର ପିଏମ୍ଜିରେ ମନୱର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭଗତ ସିଂ ସ୍ମୃତି ସମାରୋହକୁ ସମ୍ବୋଧିତ କରି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ ଯେ, ସବୁ ସମୟର କାଳଖଣ୍ଡରେ ପରିବର୍ତ୍ତନମୁଖୀ ରାଜନୀତି ପାଇଁ ଯେଉଁ ଭୂମିକା ଆବଶ୍ୟକ ପଡ଼େ ତାହା ନବନିର୍ମାଣ ଯୁବ ଛାତ୍ର ସଂଗଠନ ସମ୍ପାଦନ କରୁଛି । ସହିଦ ଭଗତ ସିଂ ଯେଉଁ ଇନ୍ କିଲାବ ଜିନ୍ଦାବାଦ ନାରା ଦେଇଥିଲେ ତାଙ୍କ ସ୍ମୃତିରେ ସେହି କାମକୁ ଆଗେଇ ନେବାକୁ ଶ୍ରୀ ନନ୍ଦ ଆହ୍ୱାନ ଦେଇଥିଲେ । ସଂଗଠନର ରାଜ୍ୟ ସଭାପତି ମନୱର ଅଲ୍ଲୀ କହିଥିଲେ ଯେ, ରାଜ୍ୟରେ ଯୁବ ଛାତ୍ର, ମହିଳା ସମସ୍ତଙ୍କର ଜ୍ୱଳନ୍ତ ସମସ୍ୟା ନେଇ ନବ ନିର୍ମାଣ ସଂଗଠନ ଛାମୁଆ ବାହିନୀ ଭାବେ ଲଢେଇ କରୁଛି । ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତେଜିୟାନ ହେବ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ସର୍ବଶ୍ରୀ ମଧୁମିତା ସାମଲ, ସାଇ ପ୍ରସାଦ ପଲେଇ, ଅମିତ ଜେନା, ଜୟନ୍ତ ଗୋସ୍ୱାମୀ, ଜାହିର ଖାନ, ଓଁକାର ରେଡ଼ି, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଥିଲେ ।