ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଡାକ୍ତରୀ ପାଠପଢ଼ା ବି କାମଚଳା !

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):କଳାହାଣ୍ଡି ଜିଲ୍ଲାବାସୀଙ୍କ ଦୀର୍ଘଦିନର ଆନ୍ଦୋଳନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଘୋଷଣା ହୋଇଥିଲା। ୨୦୨୩ ମସିହାରୁ ଏଠାରେ ପାଠପଢ଼ା ଆରମ୍ଭ ହୋଇଛି ସତ, କିନ୍ତୁ ମେଡିକାଲ କଲେଜରେ ବହୁ ଅଧ୍ୟାପକ ପଦବି ଖାଲି ପଡ଼ିଛି। ୧୫୮ଟି ପଦବି ମଧ୍ୟରୁ ୫୧ଟି ପଦବି ଖାଲି ପଡ଼ିଥିବାବେଳେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି।
ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ୨୧ଟି ମଞ୍ଜୁରିପ୍ରାପ୍ତ ପ୍ରଫେସର ପଦବି ଥିବା ବେଳେ ୧୧ ଜଣ ଅଛନ୍ତି ଓ ୧୦ଟି ପଦବି ଖାଲି ପଡ଼ିଛି। ସେହିଭଳି ୨୭ ଜଣ ଆସୋସିଏଟ୍‌ ପ୍ରଫେସର ପଦବି ଥିବା ବେଳେ ୧୬ ଜଣ ଅଛନ୍ତି ଓ ୧୧ଟି ପଦବି ଖାଲି ପଡ଼ିଛି। ୪୫ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଜାଗାରେ ୪୩ ଜଣ କାର୍ଯ୍ୟ କରୁଥିବାବେଳେ ୨ଟି ପଦବି ଖାଲି ରହିଛି। ୨୬ଟି ଟ୍ୟୁଟର୍‌ ପଦବିରୁ ୧୩ ଜଣ ଅଛନ୍ତି ଏବଂ ୧୩ଟି ପଦବି ଖାଲି ପଡ଼ିଛି। ୩୯ ଜଣ ସିନିୟର ରେସିଡେଣ୍ଟ ମଧ୍ୟରୁ ୨୪ ଜଣ କାର୍ଯ୍ୟରତ ଅଛନ୍ତି। ଆହୁରି ୧୫ଟି ପଦବି ଖାଲି ପଡ଼ିଛି।
୨ ବର୍ଷ ପଢ଼ିଲେଣି ଛାତ୍ରଛାତ୍ରୀ
୧୫୮ରୁ ୫୧ ଅଧ୍ୟାପକ ପଦ ଖାଲି

ମେଡିକାଲ କଲେଜରେ ୧୫୮ଟି ଅଧ୍ୟାପକ ଓ ଅଣଅଧ୍ୟାପକ ପଦବି ଥିବା ବେଳେ ସେଥିମଧ୍ୟରୁ ୧୫୮ଟି ପଦବି ପୂରଣ ହୋଇଛି ଏବଂ ୫୧ଟି ପଦବି ଖାଲି ପଡ଼ିଥିବା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି। ନିୟମିତ ମନୋନୟନ, ପଦୋନ୍ନତି, ଡେପୁଟେସନ୍‌ ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ଖାଲିଥିବା ପଦବିଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। ନ୍ୟାସନାଲ ମେଡିକାଲ କମିସନଙ୍କ ନିୟମାବଳୀ ଅନୁଯାୟୀ ମେଡିକାଲ କଲେଜରେ ବିଭିନ୍ନ ଡାକ୍ତରୀ ପଦବି ସୃଷ୍ଟି କରାଯାଇଛି। ଯେଉଁଥିରେ ଜୁନିୟର ରେସିଡେଣ୍ଟ ଡାକ୍ତର ପଦ ସୃଷ୍ଟି ପାଇଁ କୌଣସି ନିୟମ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଗତ ୨ ବର୍ଷ ଧରି କଲେଜରେ ମାଇକ୍ରୋ ବାୟୋଲୋଜି ବିଭାଗରେ ଏଚ୍‌ଓଡି ପଦବି ଖାଲିଥିବା ବେଳେ ଅସ୍ଥାୟୀ ଅଧ୍ୟାପକଙ୍କୁ ଦାୟିତ୍ବ ଦିଆଯାଇଛି। ସେହିଭଳି ଆନାଟୋମି ବିଭାଗର ଏଚ୍‌ଓଡି ଓ ଟ୍ୟୁଟର୍‌ ପଦବିଗୁଡ଼ିକ ପୂରଣ ହୋଇ ନଥିବା ‌ଯୋଗୁଁ କାମଚଳାରେ ଚାଲିଛି। ବର୍ତ୍ତମାନ ମେଡିକାଲ କଲେଜରେ ତୃତୀୟ ବର୍ଷ ନିମନ୍ତେ ପାଠପଢ଼ା ଆରମ୍ଭ ହେବାକୁ ଥିବା ବେଳେ ଅଧ୍ୟାପକ ପଦବି ଖାଲିଥିବା ନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଛନ୍ତି। ତୃତୀୟ ବର୍ଷ ପାଠପଢ଼ା ଆରମ୍ଭ ପୂର୍ବରୁ ଅଧ୍ୟାପକ ପଦବିଗୁଡ଼ିକ ଯଥାଶୀଘ୍ର ପୂରଣ କରିବା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ