ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ

ପୁରୀ : ଗୋଏଙ୍କା ଧର୍ମଶାଳାଠାରେ ସୃଜନୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସହିଦ୍ ଲକ୍ଷ୍ମଣ ନାୟକଙ୍କର ତିରୋଧାନ ଦିବସ ପାଳିତ ହୋଇଯାଇଛି । ସଂସଦ ଉପଦେଷ୍ଟା ଯୋଗାଚାର୍ଯ୍ୟ ଡଃ ରମାକାନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ ଶିକ୍ଷାବିତ୍ ପ୍ରଭାତଚନ୍ଦ୍ର ରଥ, ନାଟ୍ୟକାର ଦୟାନିଧି ତ୍ରିପାଠୀ ପ୍ରମୁଖ । ଅତିଥିମାନେ ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଜନ୍ମମାଟିକୁ ଇଂରେଜ କବଳରୁ ରକ୍ଷା କରିବା ପାଇଁ ପ୍ରାଣବଳୀ ଦେଇଥିବା ବୀର ପୁତ୍ରଙ୍କ ମଧ୍ୟରେ ସହିଦ୍ ଲକ୍ଷ୍ମଣ ନାୟକ ଅନ୍ୟତମ । ସେ ଓଡ଼ିଶା ମାଟିର ଗର୍ବ ଓ ଗୌରବ । ଓଡ଼ିଶାର ଏକ ଉପାନ୍ତ ଗ୍ରାମରେ ଜନ୍ମ ହୋଇଥିଲେ ମଧ୍ୟ ଭାରତ ମାତା ପାଇଁ ତାଙ୍କ ହୃଦୟ କାନ୍ଦିଥିଲା । ମାଲକାନାଗିରି ଜିଲ୍ଲା ତେନ୍ତୁଳିଗୁମ୍ମା ଗ୍ରାମରେ ୧୮୯୯ ନଭେମ୍ବର ୨୨ରେ ପିତା ପ୍ରହଲ୍ଲାଦ ନାୟକଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସ୍ଥାନୀୟ ପ୍ରଶାସନ ଇଂରେଜ ସରକାରଙ୍କ ଅଧିନରେ ଥିଲେ । ଇଂରେଜ ଆଦିବାସୀଙ୍କୁ ଅତ୍ୟାଚାର କରୁଥିଲା । ସହିଦ୍ ଲକ୍ଷ୍ମଣ ନାୟକ ଏହାକୁ ପ୍ରତିବାଦ କରିଆସୁଥିଲେ । ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର କରିଥିଲେ । ୧୯୪୨ ଅଗଷ୍ଟ ୨୧ରେ ସହିଦ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ମାଥୁଲି ଥାନା ଘେରାଉ କରାଯାଇଥିଲା । ଏଥିପାଇଁ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା । ଲକ୍ଷ୍ମଣ ନାୟକ ପ୍ରଥମ ସ୍ୱାଧୀନତାରେ ଝାସ ଦେଇଥିଲେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଶିକ୍ଷାବିତ୍ ରାମଚନ୍ଦ୍ର ସାହୁ, ରବି ନାରାୟଣ ହୋତା, କବି କୃଷ୍ଣଚନ୍ଦ୍ର ରଥ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଭବାନୀପ୍ରସାଦ ବଳିଆରସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ