ସାଂସଦଙ୍କୁ ଅପମାନ କରିବା, ସଂସଦୀୟ କ୍ଷେତ୍ରର ୨୦ ଲକ୍ଷ ଲୋକଙ୍କୁ ଅପମାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ( ସିକିମ ପଟା ବଣ୍ଟନ ) ଜିଲ୍ଲା ପ୍ରଶାସନ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। କାର୍ଯ୍ୟକ୍ରମ ସ୍ଥଳକୁ ଯିବାପରେ ଜିଲ୍ଲାପାଳ ଓ ସଦର ବିଧାୟକ ଓ ଜଳେଶ୍ଵର ବିଧାୟକ ମାନ୍ୟବର ମନ୍ତ୍ରୀ ଷ୍ଟେଜରେ ବସିବାକୁ ଦିଆଯିବା ବେଳେ ସାଂସଦଙ୍କୁ ତଳେ ବସିବା ପାଇଁ ବ୍ଯବସ୍ଥା ହେଇଥିଲା। ବିଧି ବ୍ୟବସ୍ଥା ମୁତାବକ ଜଣେ ବିଧାୟକ ରାଜ୍ୟର ମୁଖ୍ଯ ଶାସନ ସଚିବଙ୍କ ଠାରୁ ଉପରେ। ଏ କ୍ଷେତ୍ରରେ ଜଣେ ସାଂସଦ ବିଧାୟକଙ୍କ ଠାରୁ ଅନେକ ଉର୍ଦ୍ଧ୍ବରେ ଓ ଜଣେ ଜିଲ୍ଲାପାଳ ମୁଖ୍ୟ ଶାସନସଚିବଙ୍କ ଠାରୁ ଅନେକ ତଳେ। ଜିଲ୍ଲାପାଳ କୋଉ ସାହସରେ ନିଜେ ଷ୍ଟେଜରେ ବସିଥିବା ବେଳେ ଜଣେ ସାଂସଦଙ୍କୁ ତଳେ ବସିବା ପାଇଁ କହୁଛନ୍ତି ? ଏହା ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ହେଁ ବାସ୍ତବରେ ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମ ଭଳି ପରିଣତ ହୋଇଥିଲା। ଯେହେତୁ ରେମୁଣା ବିଧାୟକ ବିଜେଡ଼ିରୁ ନିଳମ୍ବିତ ଓ ସାଂସଦ ବିଜେପି ଦଳର ହେଇଥିବାରୁ ତାଙ୍କୁ ତଳେ ବସିବାକୁ ଦିଆଯାଇଥିଲା।ବିଜେଡ଼ି ଶାସନରେ ବାରଂବାର ଗଣତାନ୍ତ୍ରିକ ପଦ୍ଧତି ଉପରେ କୁଠାରାଘାତ କରାଯାଉଛି ଓ ଗଣତାନ୍ତ୍ରିକ ମୁଲ୍ୟବୋଧର ହତ୍ୟା ହେଉଛି। ସରକାରୀ କର୍ମଚାରୀମାନେ ବିଜେଡ଼ିର ଦଳୀୟ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି।ସାଂସଦ କେବେହେଲେ ଦଳମତ ନିର୍ବିଶେଷରେ କାହାରିକୁ ଅସମ୍ମାନ କରନ୍ତି ନାହିଁ, ସଦା ସର୍ବଦା ବିରୋଧୀ ଦଳରେ ହୋଇଥିଲେ ମଧ୍ୟ ଜନପ୍ରତିନିଧି ମାନଙ୍କୁ ସମ୍ମାନ ଦିଅନ୍ତି। ସେ କ୍ଷେତ୍ରରେ ତାଙ୍କୁ ଏମିତି ଅସମ୍ମାନ କରିବା ପ୍ରାୟୋଜିତ ବୋଲି ସ୍ପଷ୍ଟ ଅନୁମେୟ। ଏହି ଅପମାନର ବିଚାର ବାଲେଶ୍ଵରବାସୀ କରିବେ ବୋଲି ସାଂସଦ ଆଶା ରଖିଛନ୍ତି। ବିଗତ ଦିନରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ପାଇଁ ସ୍ୱୟଂ ଶାସିତ ବିଶ୍ବବିଦ୍ୟାଳୟର ପରୀକ୍ଷା ସରକାର ଚାପରେ ବାତିଲ କରାଯାଇଥିଲା। ରାଜ୍ୟରେ କୋଉ ଗଣତାନ୍ତ୍ରିକ ସଂସ୍ଥାର ସ୍ବାଧୀନତା ନାହିଁ। ପଞ୍ଚାୟତର ସ୍ବାଧୀନତା ନାହିଁ। ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପାଇଁ ଗଣମାଧ୍ୟମ ବାଲେଶ୍ଵର ଛାତ୍ର ସମାଜକୁ ଆହ୍ବାନ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ