ସାଂସଦଙ୍କ ନୁଣିଆଁ ଯୋଡ଼ି ପୋଲ ମୁକ୍ତିଦ୍ବାର ନିକଟସ୍ଥ କୁଷ୍ଠ ବସ୍ତି ପରିଦର୍ଶନ
ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଶାସନ ତରଫରୁ ନୁଣିଆଁ ଯୋଡ଼ି ପୋଲ ମୁକ୍ତିଦ୍ବାର ନିକଟସ୍ଥ କୁଷ୍ଠ ବସ୍ତିକୁ ବୁଲଡୋଜର ଦେଇ ଭାଙ୍ଗି ଦିଆଯିବା ଖବର ପାଇ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉକ୍ତ ବସ୍ତିକୁ ପରିଦର୍ଶନରେ ଯାଇଥିଲେ। ବହୁବର୍ଷ ଆଗରୁ ରାସ୍ତା ପାର୍ଶ୍ବରେ ସମାଜରୁ ବିଚ୍ୟୁତ ହୋଇଥିବା କୁଷ୍ଠରୋଗାକ୍ରାନ୍ତ ଲୋକେ ଆଶ୍ରୟ ନେଉନେଉ ବଂଶାନୁକ୍ରମେ ୩୨ ପରିବାର ସ୍ଥାୟୀ ବାସିନ୍ଦା ଭାବେ ରହିଆସୁଥିଲେ। ରାସ୍ତାର ପ୍ରଶସ୍ତିକରଣ କାମ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଘରକୁ ବିନା କୌଣସି ଅଗ୍ରୀମ ସୂଚନା ବା ନୋଟିସ ନଦେଇ ଯୋର ଜବରଦସ୍ତି ଭାଙ୍ଗି ଦେଇଛନ୍ତି। ସାଂସଦ କ୍ଷୋଭ ପ୍ରକାଶ କରି କହିଥିଲେ ଯେମିତି ଉନ୍ନୟନ କାମ ବାଧାପ୍ରାପ୍ତ ନହେବା ଦରକାର ସେମିତି ମାନବୀୟ ମୂଲ୍ୟବୋଧ ମଧ୍ୟ ହରାଇବା ଠିକ୍ ନୁହେଁ। ବର୍ତମାନର ହାଡ଼ଭଙ୍ଗା ଶୀତରେ ଛୋଟ ଛୋଟ ପିଲାଙ୍କୁ ନେଇ ସେମାନେ କେମିତି ରାତ୍ରିଯାପନ କରିବେ ? ଘର ଭାଙ୍ଗିବା ପୁର୍ବରୁ ପ୍ରଶାସନକୁ ଏଦିଗରେ ଚିନ୍ତା କରିବାର ଥିଲା। ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ତତ୍କାଳ ଭାବେ ସମସ୍ତ ୩୨ ପରିବାରର ସଦସ୍ୟଙ୍କୁ କମ୍ବଳ ବଣ୍ଟନ କରିବା ସହିତ ସେମାନଙ୍କ ସ୍ଥାୟୀ ଥଇଥାନ ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ସଙ୍ଗେସଙ୍ଗେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସମସ୍ତ ଦାବି ଉପସ୍ଥାପନ କରିଲେ, ଯେତେ ପର୍ଯ୍ୟନ୍ତ ସେମାନଙ୍କ ଥଇଥାନ ପାଇଁ ସ୍ଥାୟୀ ବନ୍ଦୋବସ୍ତ ନ’ହେଇଛି ଉଚ୍ଛେଦ କାର୍ଯ୍ଯ ବନ୍ଦ ରଖିବାକୁ ସାଂସଦ ନିର୍ଦେଶ ଦେଇଛନ୍ତି, ଅନ୍ୟଥା ଦୁର୍ବାର ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ସାଂସଦଙ୍କ ସହିତ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ମଣ୍ଡଳ ସଭାପତି କ୍ରୀଷ୍ଣା ସାହା, ଏସଟି ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ଉମାକାନ୍ତ ଜେନା, ବିଜୟ ସେଠୀ ପରିଦର୍ଶନରେ ଯାଇଥିଲେ