ସାଂସଦ ଓ ବିଧାୟକଙ୍କ ଦ୍ଵାରା ୬ ଟି ପ୍ରକଳ୍ପ ଉଦଘାଟିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମ ପଞ୍ଚାୟତର କଙ୍କୋରଡା ଓ ଶ୍ରଦ୍ଧାପୁର ଗ୍ରାମରେ ରାଜଶ୍ରୀ ବଳାସି ସମାଜ ଗୃହ, ହରିଜନ ସାହି ଗୋଷ୍ଠୀ କେନ୍ଦ୍ର, ରୋଷେଇ ଗୃହ, ବିଦ୍ୟାଳୟ ସାହି ଗୋଷ୍ଠୀ କେନ୍ଦ୍ର, ମା’ ଠାକୁରାଣୀଙ୍କ ରୋଷେଇ ଗୃହ, ଓ କପାବାଲି ଗୋଷ୍ଠୀ କେନ୍ଦ୍ର ଏହିପରି ୬ ଗୋଟି ପ୍ରକଳ୍ପକୁ ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଙ୍କ ଦ୍ଵାରା ଉଦଘାଟିତ ହୋଇ ଲୋକାର୍ପଣ ହୋଇଅଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ବେହେରା, ଖଣ୍ଡୁରୁ ସରପଞ୍ଚ ରଞ୍ଜିତ କୁମାର ବାରିକ, ସମିତିସଭ୍ୟ ରାହୁଳ ଦେବ ସାହୁ ପ୍ରମୁଖ ଯୋଗଦେଇଥିଲେ। ଏଥିସହ କଙ୍କୋରଡା ଗ୍ରାମର କଲ୍ୟାଣ ମଣ୍ଡପରେ ପଞ୍ଚାୟତ ସ୍ତରୀୟ ବିଜୁଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ଶ୍ରୀମତୀ ବିଷୋୟୀ ଓ ବିଧାୟକ ଶ୍ରୀ ସାହୁ ଯୋଗଦେଇଥିବା ବେଳେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ କର୍ମୀ ସମ୍ମିଳନୀରେ ସଂଯୋଜନା କରିଥିଲେ । ବହୁ ସଂଖ୍ୟକ ବିଜେଡି ନେତା ଓ କର୍ମୀ ଏହି କର୍ମୀ ସମ୍ମିଳନୀରେ ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ବିଷୟରେ ଆଲୋଚନା କରିଥିଲା । ସେହିପରି ବେଲଗାଁ ଗ୍ରାମ ପଞ୍ଚାୟତର ଡିମ୍ବିରିଆ ଗ୍ରାମର ସାଇ କଲ୍ୟାଣ ମଣ୍ଡପ ଓ କୋଠା ଗୃହକୁ ମଧ୍ୟ ସାଂସଦ ଶ୍ରୀମତୀ ବିଷୋୟୀ ଓ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିଲେ। ଏହିସବୁ କାର୍ଯ୍ୟକ୍ରମରେ ବିଜେଡି ସମର୍ଥିତ ସରପଞ୍ଚ, ସରପଞ୍ଚଙ୍କ ପ୍ରତିନିଧି , ସମିତି ସଭ୍ୟ/ସଭ୍ୟା , ଜିଲ୍ଲା ପରିଷଦ ପ୍ରତିନିଧି , ପଞ୍ଚାୟତ ସ୍ତରିୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ