ସାଂସଦ ଚନ୍ଦ୍ରଶେଖରଙ୍କ ଦ୍ୱାରା୬କୋଟିରୁ ଉର୍ଦ୍ଧ ଟଙ୍କାର ଶିଳାନ୍ୟାସ ଓ ଉଦ୍ଘାଟନୀ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦୁଇଟି ଶିଳାନ୍ୟାସ ଏବଂ ୨ଟି ଉଦ୍ଘାଟନୀ କାର୍ଯ୍ୟକ୍ରମ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଯାଇଛି । ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ସାଂସଦ ଶ୍ରୀ ସାହୁ ପ୍ରଥମେ ସ୍ଥାନୀୟ ସର୍କିଟ ହାଉସ ଠାରେ ଗତକାଲି ସନ୍ଧା ସମୟରେ ପହଞ୍ôଚଥିଲେ ସେଠାରେ ତାଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲାପାଳ ଅନୁପମ ସାହା ପ୍ରମୁଖ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ପରେ ପାରଳାଖେମୁଣ୍ଡି ସହରର ରାମନଗର ଠାରେ ନୂତନ ଭାବେ ଏକ କଠିନ ବର୍ଜ୍ୟବସ୍ତୁ ପରିଚାଳନାପାଇଁ ହେବାକୁଥିବା ପ୍ରକଳ୍ପର ଶୀଳାନ୍ୟାସ କାର୍ଯ୍ୟକ୍ରମରେ ସାଂସଦ ଯୋଗଦେଇଥିଲେ । ଉକ୍ତ ପ୍ରକଳ୍ପ ନିର୍ମାଣପାଇଁ ପ୍ରାୟ ୧.୫କୋଟି ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଥିବା ଜଣାପଡିଛି । ସେହିପରି ଏହି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପରେ ପ୍ରତିଦିନ ପ୍ରାୟ ୫ମେଟ୍ରିକ ଟୋନ କଠିନ ବର୍ଜ୍ୟବସ୍ତୁକୁ ନଷ୍ଟ କରାଯାଇପାରିବ ବୋଲି ଜଣାପଡିଛି । ପରେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ନୂତନ ଜିଲା ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ସାଂସଦ ଉଦ୍ଘାଟନ କରିଥିଲେ ତାହା ପ୍ରାୟ ୧.୫କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବାର ଜଣାପଡିଛି । ପରେ ସ୍ଥାନୀୟ ଉପକାରାଗାର ସମ୍ମୁଖ ଭାଗରେଥିବା ଏକ ଖାଲିସ୍ଥାନରେ ନୂତନ ଟାଉନ ହଲ୍ର ଶୀଳାନ୍ୟାସ କାର୍ଯ୍ୟରେ ସେ ଯୋଗଦେଇଥିଲେ । ଏହି ନୂତନ ଟାଉନ ହଲ୍ ତିଆରିପାଇଁ ୧.୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ସୂଚନା ମିଳିଛି । ପରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ଜିଲା ପଞ୍ଚାୟତ ସମ୍ବଳ ଗୃହର ଗୃହ ପ୍ରବେଶ କାର୍ଯ୍ୟରେ ସାଂସଦ ଯୋଗଦେଇ ସେଠାରେ ଶୁଭ ଉଦ୍ଘାଟନ କରିଥିଲେ । ଏହି କେନ୍ଦ୍ରଟି ପ୍ରାୟ ୨କୋଟି ଟଙ୍କାର ବ୍ୟୟ ବରାଦରେ ନିର୍ମାଣ କରାଯାଇଥିବାବେଳେ ଏଥିରେ ୫୦ଜଣ ବସିବାଭଳି ବୈଠକ କକ୍ଷ, ୬୦ଜଣ ପ୍ରଶିକ୍ଷଣ ନେବାଭଳି ଗୃହ, ଅତିଥି ଗୃହ, ଭିଡିଓ କନ୍ଫେସିରିଂ ହଲ୍ ଇତ୍ୟାଦି ନିର୍ମାଣ କରାଯାଇଛି । ଏହି ସମସ୍ତ ପ୍ରକଳ୍ପ ଗୁଡିକ ସୂଚାରୁ ରୂପେ ସମ୍ପାଦିତ ହେବାପରେ ଏହା ସାଧାରଣ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟକରିବ ବୋଲି ସାଂସଦ ଶ୍ରୀ ସାହୁ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ଗୁଡିକରେ ଗଜପତି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗୁନୁରାଣୀ ପଟ୍ଟନାୟକ, ପାରଳାଖେମୁଣ୍ଡି ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ସତ୍ୟନାରାୟଣ ରାଜଗୁରୁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତଥିଲେ ।