ସାଇକେଲ୍ ଚଲାନ୍ତୁ, ଫିଟ୍ ରୁହନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ବିଶ୍ୱ ବାଇସାଇକେଲ୍ ଦିବସ । ଛୋଟ ପିଲା ଓ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ଲାଗି ପ୍ରତିବର୍ଷ ଜୁନ୍ ୩ ତାରିଖକୁ ବିଶ୍ୱ ସାଇକେଲ୍ ଦିବସ ରୂପେ ପାଳନ କରାଯାଇଥାଏ । ନିଜକୁ ନୀରୋଗ ଓ ଫିଟ୍ ରଖିବାର ଏକ ମାଧ୍ୟମ ହେଉଛି ସାଇକେଲିଂ । ସାଇକେଲ୍ ବ୍ୟବହାର ଦ୍ୱାରା ଶରୀର ଫିଟ୍ ରହିବା ସହିତ ପରିବେଶ ପ୍ରଦୂଷଣ ମଧ୍ୟ କମିଥାଏ । ଜଳବାୟୁ ଉପରେ ଏହାର ସକରାତ୍ମକ ପ୍ରଭାବ ପକାଇଥାଏ । ଏହା ଏକ ସୁସ୍ଥ ଜୀବନଶୈଳୀକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ତେଣୁ ବିଶ୍ୱ ସାଇକେଲ୍ ଦିବସ ପାଳନ ଅବସରରେ ଏହାର ଅଧିକ ବ୍ୟବହାର ପାଇଁ ଆହ୍ୱାନ ଦେଇଛନ୍ତି ପରିବେଶବିତ୍ ସୁଶାନ୍ତ ସାହୁ । ସ୍ମାର୍ଟନଗରୀ ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ରହୁଥିବା କୁନି କୁନି ପିଲାଙ୍କୁ ଏକତ୍ରିତ କରି ଶ୍ରୀ ସାହୁ ଏହି ଅବସରରେ ଆୟୋଜନ କରିଥିଲେ ଏକ ସାଇକେଲ୍ ର‌୍ୟାଲି । ପ୍ରତିଟି ସାଇକେଲ୍‌ରେ ରହିଥିଲା ସାଇକେଲ୍ ଉପାଦେୟତା ସମ୍ପର୍କରେ ସୁନ୍ଦର ଓ ମନଛୁଆଁ ସ୍ଲୋଗାନ୍ । ଏହି ପରିପ୍ରେକ୍ଷୀରେ କୁନି କୁନି ପିଲା ଉତ୍ସାହର ସହ ସାଇକେଲ୍ ଚଲାଇ ନିଜ ଅଞ୍ଚଳରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଆୟୋଜିତ ସାଇକେଲ୍ ର‌୍ୟାଲିକୁ ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ଶ୍ରୀ ନାୟକ ଏହି ଅବସରରେ କହିଥିଲେ ସାଇକେଲ୍ ଚଳାଇବା ଦ୍ୱାରା ଜଣେ ବ୍ୟକ୍ତି ମାନସିକ, ଶାରୀରିକ ଓ ବୌଦ୍ଧିକ ଭାବେ ସୁସ୍ଥ ରହିଥାଏ । ସଂପ୍ରତି ଧିରେ ଧିରେ ବଢ଼ୁଛି ସାଇକେଲ୍ କ୍ରେଜ୍ । ସାଇକେଲିଂ ଏକ ଭଲ ଅଭ୍ୟାସ । ନିଜେ ସୁସ୍ଥ ରହିବା ସହିତ ପଲ୍ୟୁସନ ଫ୍ରି ଜୀବନ ବିତାଇପାରିବ । ସମ୍ମାନିତ ଅତିଥି ରୂପେ ଦୃଷ୍ଟିବାଧିତ ଖେଳାଳିଙ୍କ କୋଚ୍ ତ୍ରିଲୋଚନ ବେଉରା ଯୋଗଦେଇ କହିଥିଲେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସାଇକେଲ୍ ଚଳାଇବା ଉପରେ ସରକାର ଗୁରୁତ୍ୱ ଦେବା ଦରକାର । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ଚିତ୍ରଶିଳ୍ପୀ ଅନୁସୂୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ