ସାଇନାଙ୍କ ବାୟୋପିକ୍‌ରେ ପରିଣୀତି

ଯେତେବେଳେ ବାୟୋପିକ୍ କଥା ଆସେ, ସେତେବେଳେ ଅଭିନେତ୍ରୀ/ଅଭିନେତାଙ୍କୁ ବିଶେଷ ପ୍ରସ୍ତୁତି କରିବାକୁ ପଡ଼ିଥାଏ । କାରଣ କୌଣସି କାଳ୍ପନିକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରି ଉତାରିବାଠାରୁ କାହିଁ କେତେ ଗୁଣ କଷ୍ଟକର ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ଚରିତ୍ରରେ ଅଭିନୟ କରିବା । କାରଣ ବାୟୋପିକ୍‌ରେ ଉକ୍ତ ଚରିତ୍ର ସହ ଦର୍ଶକେ ଆଗରୁ ଅଳ୍ପବହୁତେ ଜଡ଼ିତ ଥାଆନ୍ତି । ଏଣୁ ଅଭିନୟ ଜୀବନ୍ତ ଓ ବାସ୍ତବିକ ଅନୁଭବ ନ ହେଲେ, ଦର୍ଶକ ତୁଳନାତ୍ମକ ଦୃଷ୍ଟିକାଣରୁ ଅସନ୍ତୁଷ୍ଟ ହୋଇପାରନ୍ତି । ଏଣୁ ଅନେକ ସମୟରେ ବାୟୋପିକରେ ଅଭିନୟ କରୁଥିବା ଅଭିନେତ୍ରୀ/ଅଭିନେତାଙ୍କୁ ସମ୍ପୃକ୍ତ ଚରିତ୍ରରେ ବାସ୍ତବିକତା ଆଣିବାକୁ ଅଧିକରୁ ଅଧିକ ପରିଶ୍ରମ ଓ ପ୍ରୟାସ କରିବାକୁ ପଡ଼ିଥାଏ ।
କ୍ରମରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି କରୁଛନ୍ତି କଠିନ ପରିଶ୍ରମ । କାରଣ ଭାରତର ଗର୍ବ ଓ ଗୌରବ ବ୍ୟାଡ୍‌ମିଣ୍ଟନ୍ ଖେଳାଳୀ ସାଇନା ନେହ୍ୱାଲ୍‌ଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ଫିଲ୍ମରେ ପରିଣୀତି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏବେ ଏଭଳି ଜଣେ ତାରକାଙ୍କ ଜୀବନୀକୁ ପରଦାରେ ଫୁଟାଇବାକୁ ହେଲେ ପରୀଙ୍କୁ କଷ୍ଟ ତ କରିବାକୁ ପଡ଼ିବ । ଏଥିପାଇଁ ତାଙ୍କୁ ସାଇନାଙ୍କ ଚାଲିଚଳନ, କଥାବାର୍ତ୍ତା, ବେଶଭୂଷା ଓ ବିଶେଷକରି ବ୍ୟାଡ୍ମିଣ୍ଟନ ଖେଳିବା ଷ୍ଟାଇଲ୍ ଶିଖିବାକୁ ପଡ଼ୁଛି । ବାକି ସବୁ ଠିକ୍ ଅଛି, କିନ୍ତୁ ବ୍ୟାଡମିଣ୍ଟନ୍ ଅଭ୍ୟାସ କରିବାରେ ପରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ବ୍ୟାଡ୍‌ମିଣ୍ଟନ୍ ଅଭ୍ୟାସ ପାଇଁ ପରୀଙ୍କୁୁ ମୁମ୍ବାଇସ୍ଥିତ ରାମଶେଠ୍ ଠାକୁର ଇଣ୍ଟର ନ୍ୟାଶନାଲ୍ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଯିବାକୁ ପଡ଼ୁଛି, ଯେଉଁଥିରେ ତାଙ୍କର ୫-୬ ଘଣ୍ଟା ସମୟ ନଷ୍ଟ ହୋଇଯାଉଛି । ଫଳରେ ସେ ଆବଶ୍ୟକତା ଅନୁଯାୟୀ ଶୋଇପାରୁ ନାହାନ୍ତି ଓ ଅନ୍ୟ କାମ ମଧ୍ୟ ଠିକ୍ ସମୟରେ କରିପାରୁନାହାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଏଣିକି ସ୍ପୋର୍ଟସ୍ କମ୍ପେ୍ଲକ୍ସରେ ହିଁ ଅଭ୍ୟାସ ସରିବା ପର୍ଯ୍ୟନ୍ତ ରହିବାକୁ ସେ ସ୍ଥିର କରିଛନ୍ତି । ଘରଠରୁ ଦୂର ସେଠାରେ ରହି ଏବେ ସାଇନାଙ୍କ ଭଳି ଖେଳିବାର ଅଭ୍ୟାସ ଚଳାଇଛନ୍ତି ପରିଣୀତି । ଅନ୍ୟପକ୍ଷରେ ସାଇନା ନେହୱାଲ୍‌ଙ୍କ ବାୟୋପିକରେ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ଫାଇନାଲ୍ କରାଯାଇଥିଲା । ତେବେ ଶ୍ରଦ୍ଧାଙ୍କ ହାତରେ ଅନେକ ଫିଲ୍ମ ଥିବାରୁ ସେ ଏହି ଫିଲ୍ମକୁ ରିଜେକ୍ଟ କରିଦେଇଥିଲେ । ପରେ ପରିଣୀତିଙ୍କୁ ଏହି ଫିଲ୍ମ ପାଇଁ ଚୟନ କରାଗଲା ଓ ସେ ରାଜି ମଧ୍ୟ ହୋଇଗଲେ । ଫିିଲ୍ମକୁ ସୁପରହିଟ୍ କରିବା ଲାଗି ଏବେ ପରୀ ସମ୍ପୂର୍ଣ୍ଣଭାବେ ଲାଗିପଡିଛନ୍ତି । ସେ କଠିନ ପରିଶ୍ରମ ଜାରି ରଖିଛନ୍ତି । ଆଗାମୀ ଦିନରେ ଫିଲ୍ମଟି କେତେ ସଫଳ ହେଉଛି ଓ ଦର୍ଶକଙ୍କ ମନକୁ ଛୁଉଁଛି ତାହା ସମୟ ହିଁ କହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ